Odisha Link
Bridging the Missing Links in Odisha

ନକଲି ସାର୍ଟିଫିକେଟ୍‌ ମାମଲା: କ୍ରାଇମବ୍ରାଞ୍ଚ ନଜରରେ ବଲାଙ୍ଗିରର ଡ଼ାକଘର

କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଥିଲା।

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ନକଲି ସାର୍ଟିଫିକେଟ୍‌ ମାମଲା ଏବେ ଚିନ୍ତାର ବିଷୟ ପାଲଟିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରୁଥିବାବେଳେ ପୁଣି ବଲାଙ୍ଗିର ଯାଇଛି ଟିମ୍‌। ରାତିରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ବଲାଙ୍ଗୀରରେ ତଦନ୍ତ କରି ଅନେକ ତଥ୍ୟ ସାମ୍ନାକୁ ଆଣିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ଖବର ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିବା ସହ ପୋଷ୍ଟାଲ ଅଧୀକ୍ଷକଙ୍କ ସହ ଆଲୋଚନା ଜାରି କରିଥିଲା। ପୂର୍ବରୁ ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ, କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମ୍ନାକୁ ଆସିଥିଲା। କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଥିଲା।

ନକଲି ସାର୍ଟିଫିକେଟ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ଓ ତାଙ୍କ ସହଯୋଗୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଅଭିଯୁକ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଚୟନ ହୋଇଥିବା ଏହି ବ୍ୟକ୍ତିମାନେ ଯାଞ୍ଚ ସମୟରେ ଧରାପଡ଼ିଥିଲେ।

Leave A Reply

Your email address will not be published.