Odisha Link
Bridging the Missing Links in Odisha

କର୍ଣ୍ଣାଟକ ନିର୍ବାଚନ: ଇସ୍ତାହାରରେ ମାଳ ମାଳ ମାଗଣା ପ୍ରତିଶ୍ରୁତି

ଓଏଲ୍‌ ବ୍ୟୁରୋ: ମେ’ ୧୦ ତାରିଖରେ ଅନୁଷ୍ଠିତ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ମନପସନ୍ଦର ନେତା ବାଛିବେ ଭୋଟର। ନିର୍ବାଚନ ଯେତିକି ପାଖଉଛି, ସେତିକି ସରଗରମ ହେଉଛି କର୍ଣ୍ଣାଟକ ନିର୍ବାଚନୀ ମାହୋଲ। ଜନତାଙ୍କ ମନଜିଣି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ଆଉ ୮ ଦିନ ବାକି ଥିବାବେଳେ ମାଳ ମାଳ ପ୍ରତିଶ୍ରୁତି ଆଣିଛନ୍ତି ବିଜେପି ଓ କଂଗ୍ରେସ। ସୋମବାର ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିବାବେଳେ ମଙ୍ଗଳବାର ଏହାକୁ ଟକ୍କର ଦେଇ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର।

ମେ’ ୧୦ ତାରିଖ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ଇସ୍ତାହାର ଜାରି କରାଯାଇଛି। କଂଗ୍ରେସ ପାର୍ଟି ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ଘୃଣା କିମ୍ବା ବିଦ୍ୱେଷ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି।

କଂଗ୍ରେସ ନିର୍ବାଚନୀ ଇସ୍ତାହାର:
ସେହିଭଳି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ପ୍ରତି ଘରକୁ ୨ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ସେବା ଯୋଗାଇଦିଆଯିବ ବୋଲି ଉଲ୍ଲେଖ ରହିଛି। ଏଥିସହିତ ପରିବାରର ମହିଳା ମୁଖ୍ୟଙ୍କୁ ମିଳିବ ୨ ହଜାର ଟଙ୍କା। ବିପିଏଲ୍ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସକୁ ୧୦ କିଲୋ ଚାଉଳ। ବେରୋଜଗାର ସ୍ନାତକଙ୍କୁ ୨ ବର୍ଷ ଯାଏଁ ମାସକୁ ୩ ହଜାର ଟଙ୍କା। ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସକୁ ଦେଢ ହଜାର ଟଙ୍କା।ରାତିରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କୁ ୫ ହଜାର ଟଙ୍କାର ଭତ୍ତା।ମତ୍ସ୍ୟଜୀବୀଙ୍କୁ ବର୍ଷକୁ ୫ ଶହ ଲିଟର ଟ୍ୟାକ୍ସ ଫ୍ରି ଡିଜେଲ।କ୍ଷୀର ସବସିଡି ୫ ଟଙ୍କାରୁ ବୃଦ୍ଧି କରି ୭ ଟଙ୍କା କରାଯିବ। ବଜରଙ୍ଗଦଳ ଓ ପିଆଇଏଫ ସଂଗଠନକୁ ବ୍ୟାନ୍ କରାଯିବ ବୋଲି କଂଗ୍ରେସ ଇସ୍ତାହାରର ପ୍ରକାଶ ପାଇଛି।

ଅନ୍ୟପଟେ ଗତକାଲି ନିର୍ବାଚନୀ ଇସ୍ତାହାର ଜାରି ଲୋଭନୀୟ ଓ ଆକୃଷ୍ଟ କରୁଥିବା ପ୍ରତିଶ୍ରୁତି ଦେଇଥିଲା ବିଜେପି। ଦଳ ମହିଳା, ଯୁବକ ଓ ଚାଷୀଙ୍କୁ ଫୋକସ କରି ନିର୍ବାଚନ ଇସ୍ତାହାର ଜାରି କରିଥିଲା। ବିଜେପି ମଧ୍ୟ ମାଗଣା ପ୍ରତିଶ୍ରୁତି କର୍ଣ୍ଣାଟକବାସୀଙ୍କ ଆଗରେ ରଖିଛି ।

ବିଜେପି ନିର୍ବାଚନୀ ଇସ୍ତାହାର:
ଯଦି ବିଜେପି କ୍ଷମତାକୁ ଆସେ ତେବେ ପ୍ରତି ପରିବାରକୁ ବର୍ଷକୁ ୩ଟି ଗ୍ୟାସ୍‌ ସିଲିଣ୍ଡର ମାଗଣା ଯୋଗାଇଦେବା ପାଇଁ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି ବିଜେପି। ଉଗାଡ଼ି, ଦୀପାବଳି ଓ ଗଣେଶ ପୂଜାରେ ମିଳିବ ଏହି ମାଗଣା ସିଲିଣ୍ଡର। ସେହପରି ବିପିଏଲ ପରିବାରକୁ ପ୍ରତିଦିନ ମିଳିବ ଅଧା ଲିଟର କ୍ଷୀର। ଚାଷୀଙ୍କ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ରଣରେ ସୁଧ ଛାଡ଼। ଚାଷୀଙ୍କୁ ବିହନ ପାଇଁ ପ୍ରତିବର୍ଷ ଦଶ ହଜାର ଟଙ୍କା ମିଳିବ। ପ୍ରତିମାସରେ ମାଗଣା ୫ କିଲୋ ଚାଉଲ ଓ ଗହମ ଦିଆଯିବ ବୋଲି ବିଜେପି ତା ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି।

ଉଭୟ ବିଜେପି ଓ କଂଗ୍ରେସ କର୍ଣ୍ଣାଟକବାସୀଙ୍କ ଆଗରେ ମାଳ ମାଳ ପ୍ରତିଶ୍ରୁତି ରଖି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଚଳିତଥର କାହା ପ୍ରତିଶ୍ରୁତି ଅଧିକ ଫଳପ୍ରଦ ହେଉଛି? କେଉଁ ଦଳ ଜନତାଙ୍କୁ ମନେଇବାରେ ସଫଳ ହୋଇପାରୁଛି? କିଏ କର୍ଣ୍ଣାଟକ ଶାସନଗାଦୀ ହାତଉଛି ସେକଥା ମେ ୧୩ ଫଳାଫଳରେ ଜଣାପଡିବ।

Leave A Reply

Your email address will not be published.