Odisha Link
Bridging the Missing Links in Odisha

ଏନସିପି ମୁଖିଆ ପଦ ଛାଡ଼ିଲେ ଶରଦ ପାଓ୍ବାର

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବରିଷ୍ଠ ରାଜନେତା ଶରଦ ପାଓ୍ବାର।
ସେ ଆଜି କହିଛନ୍ତି, ଦଳର ସଭାପତି ପଦରୁ ମୁଁ ଇସ୍ତଫା ଦେଉଛି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଶରଦ ପାଓ୍ବାରଙ୍କ ଜୀବନ ସହ ଜଡିତ ଏକ ପୁସ୍ତକ ରିଲିଜ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ ମୁଁ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ଇସ୍ତଫା ଦେଉଛି। ଶରଦ ପାୱାରଙ୍କ ଏହି ବିବୃତ୍ତି ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ଦାବି କରି ସ୍ଲୋଗାନ ଦେଇଥିଲେ।

ସବୁଠାରୁ ବଡ଼କଥା ଏହାକି ଯେ, ଶରଦ ଇସ୍ତଫା ଏପରି ସମୟରେ ଦେଇଛନ୍ତି, ଯେଉଁ ସମୟରେ ପାର୍ଟିରେ ସବୁକିଛି ଠିକ୍ ନଥିବା ନେଇ ସୂଚନା ମିଳୁଛି। ପୂର୍ବରୁ କୁହାଯାଉଥିଲା ଯେ, ଦଳର ନେତା ଅଜିତ୍ ପାୱାର କିଛି ଏନସିପି ବିଧାୟକଙ୍କୁ ନେଇ ବିଜେପି ସହ ମିଶିପାରନ୍ତି। ମହାରାଷ୍ଟ୍ରରେ ସିନ୍ଧେ ଗୋଷ୍ଠୀକୁ ବାଦ୍ ଦେଇ ଏନସିପି ସହ ମିଶି ବିଜେପି ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଏହି ସବୁ ଚର୍ଚ୍ଚା ଭିତରେ ମଙ୍ଗଳବାର ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେଇଛନ୍ତି।

ଶରଦ ପାଓ୍ବାରଙ୍କ ଇସ୍ତଫା ପରେ କିଏ ଏନସିପିର ନୂତନ ଅଧ୍ୟକ୍ଷ ହେବେ ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚ।। ଅଜିତ୍‌ ପାଓ୍ବାର ଓ ସୁପ୍ରିୟା ସୁଲେ ଏନସିପି ଅଧ୍ୟକ୍ଷ ପଦ ଦୌଡ଼ରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସୂଚନାଥାଉକି, ଏନସିପିର ସହ ପ୍ରତିଷ୍ଠାତା ଥିଲେ ଶରଦ ପାଓ୍ବାର। ୧୯୯୯ ମସିହାରେ ଶରଦ ପାଓ୍ବାର, ପିଏ ସାଙ୍ଗମା ଓ ତାରିକ ଅନଓ୍ବାରଙ୍କ ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଗଠନ କରାଯାଇଥିଲା।

Leave A Reply

Your email address will not be published.