Odisha Link
Bridging the Missing Links in Odisha

ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟଙ୍କ ଉଦବେଗ, ୨ ମାସ ସୁଦ୍ଧା ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ।

ଓଏଲ୍‌ ବ୍ୟୁରୋ: ହାତୀ ମୃତ୍ୟୁ ଓ ହାତୀ ଦ୍ୱାରା ମୃତ୍ୟୁ ହେଉଥିବା ଅନେକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ଗତ ୨ ମାସରେ ୧୮ ହାତୀ ମୃତ, ହାତୀ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା ୨ ମାସ ଭିତରେ ଠୋସ୍‌ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହେଉଥିବାରୁ ଜଙ୍ଗଲରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ।

ଅନ୍ୟପଟେ, ବନ୍ୟପ୍ରାଣୀଙ୍କ ଦ୍ବାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି ହୋଇଥିବା ଘୋଷଣା କରାଯାଇଥିଲା। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମୃତାହତଙ୍କୁ ମିଳିବ ୬ ଲକ୍ଷ ଟଙ୍କା। ପୂର୍ବରୁ ଅନୁକମ୍ପା ରାଶି ୪ ଲକ୍ଷ ଟଙ୍କା ଥିବାବେଳେ ତାହା ବର୍ତ୍ତମାନ ବୃଦ୍ଧି କରାଯାଇ ୬ ଲକ୍ଷରେ ପହଁଚିଛି। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ବି ସହାୟତା ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢ଼ଲକ୍ଷ ଟଙ୍କା। ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ବି ସହାୟତା ରାଶି ବୃଦ୍ଧି କରାଯାଇଛି। ଗାଈ, ମଇଁଷିର ମୃତ୍ୟୁ ହେଲେ ମିଳିବ ୩୭ ହଜାର ୫୦୦ ଟଙ୍କା। ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର ମିଳିବ। ଛେଳି ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳିମେଣ୍ଢା ଛୁଆ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଥିଲା।