Odisha Link
Bridging the Missing Links in Odisha

ତାତିରୁ ମିଳିବ ତ୍ରାହି, ଝଡ଼ବର୍ଷା ନେଇ ଓଡ଼ିଶାର ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ମେଘାଚ୍ଛନ ଆକାଶ ଦେଖାଯାଇଥିଲା।

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ନିସ୍ତାର। ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେଘାଚ୍ଛନ ଆକାଶ ରହିଛି। ଝଡ଼ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଂଜାମ, କନ୍ଧମାଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକକୁ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି, ଅପରାହ୍ନରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ମେଘାଚ୍ଛନ ଆକାଶ ଦେଖାଯାଇଥିଲା। ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ଆରମ୍ଭ ହୋଇଥିଲା। ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀ ତାଣ୍ଡବ ରଚିଥିଲା। ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଅନ୍ୟପଟେ, ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଚଳିତବର୍ଷ କେରଳକୁ ମୌସୁମୀ ଡେରିରେ ଆସିବ। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତ ବର୍ଷ ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ। ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। ରାଜ୍ୟରେ କେବେ ମୌସୁମୀ ପ୍ରବାହ ଆରମ୍ଭ ହେବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.