Odisha Link
Bridging the Missing Links in Odisha

ମେ ୨୮ରେ ଉଦଘାଟନ ହେବ ନୂତନ ସଂସଦ ଭବନ, ଉନ୍ମୋଚନ ହେବ ଏକ ସ୍ୱତନ୍ତ୍ର ୭୫ ଟଙ୍କିଆ ମୁଦ୍ରା

ମେ ୨୮ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଅର୍ଥ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ୭୫ଟଙ୍କା ଲଞ୍ଚ କରିବ ବୋଲି ସୂଚନା ଜାରି ହୋଇଛି।

ଓଏଲ୍‌ ବ୍ୟୁରୋ: ମେ ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଛନ୍ତି। ହେଲେ ଅନ୍ୟପଟେ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ମେ ୨୮ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଅର୍ଥ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ୭୫ଟଙ୍କା ଲଞ୍ଚ କରିବ ବୋଲି ସୂଚନା ଜାରି ହୋଇଛି।

ଏହି ୭୫ ଟଙ୍କିଆ ମୁଦ୍ରା ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ସମିଶ୍ରଣରେ ନିର୍ମାଣ କରାଯିବ। ୪୪ ମିଲିମିଟର୍‌ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା’ ତଳକୁ ଥିବ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’। ସେହିପରି, ମୁଦ୍ରାର ବାମ ଗୋଲାର୍ଦ୍ଧ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ଗୋଲାର୍ଦ୍ଧ ପାର୍ଶ୍ବକୁ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’।

ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ  ଏବଂ ଇଂରାଜୀ ସଂଖ୍ୟାରେ ଉଲ୍ଲେଖ ଥିବ ୭୫। ଏହାବ୍ୟତୀତ ମୁଦ୍ରାର ପଛ ପାଶ୍ୱର୍ରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ୍‌ ଚିତ୍ର ତଳେ ଉଲ୍ଲେଖ ରହିବ ବର୍ଷ ୨୦୨୩।

ଅନ୍ୟପଟେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ଗୋଲାପି ନୋଟ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବା ବେଳେ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ବଡ ଅଙ୍କର ନୋଟ୍ ଅଦଳବଦଳ କରିପାରିବେ। ବ୍ୟାଙ୍କର ସମସ୍ତ କାଉଉଣ୍ଟରରେ ଲୋକମାନଙ୍କୁ ୨ ହଜାର ଟଙ୍କିଆ ନୋଟ ବଦଳ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଯେମିତି ବ୍ୟାଙ୍କଗୁଡ଼ିକ ସେବା ଯୋଗାଉଥିଲେ, ଏବେ ବି ସେମିତି ହିଁ କରିବେ।

Leave A Reply

Your email address will not be published.