Odisha Link
Bridging the Missing Links in Odisha

ଅଚିହ୍ନା ମୃତଦେହର ମିଳିବ ପରିଚୟ, ଏମ୍ସରେ ଆରମ୍ଭ ହେଲା ଡିଏନ୍‌ଏ ଟେଷ୍ଟ

ମୃତଦେହଗୁଡିକ କଂଟେନରରେ ସଂରକ୍ଷିତ ହୋଇ ରହିଛି।

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ଶୁକ୍ରବାର ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି।

ବର୍ତମାନ ସୁଦ୍ଧା ଅନେକ ମୃତଦେହ ଚିହ୍ନଟ ହୋଇନଥିବାବେଳେ ମୃତଦେହ ଚିହ୍ନଟ ପାଇଁ ଏମ୍ସରେ ଆରମ୍ଭ ହେଲା ଡିଏନ୍‌ଏ ଟେଷ୍ଟ ପ୍ରକ୍ରିୟା। ମୃତଦେହ ଚିହ୍ନଟ ପାଇଁ ବର୍ତ୍ତମାନ ସୁଦ୍ଧା ୧୦ ପରିବାର ଦେଇଛନ୍ତି ନମୂନା। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ପୂର୍ବରୁ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି। ମୃତଦେହଗୁଡିକ କଂଟେନରରେ ସଂରକ୍ଷିତ ହୋଇ ରହିଛି।

ଖବର ଅନୁସାରେ, ଗତ ଶୁକ୍ରବାର ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା।

ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

Leave A Reply

Your email address will not be published.