Odisha Link
Bridging the Missing Links in Odisha

ଜୁନ୍‌ ୫ରେ ଶପଥ ନେଇଥିଲେ, ୯ରେ ବିଦା ହେଲେ

ଓଏଲ୍‌ ବ୍ୟୁରୋ: ଗତବର୍ଷ ଜୁନ୍‌ ମାସ ୫ ତାରିଖରେ ନୂଆକରି ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ଠିକ୍‌ ବର୍ଷକ ପରେ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ରୋହିତ ପୂଜାରୀ।

ରୋହିତ ପୂଜାରୀ କହିଛନ୍ତି ଯେ, ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି। ମୋଠୁ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରୁଥିବେ ବୋଧ ହୁଏ ମୁଁ ଦେଇ ପାରି ନଥିବି। ସେଥିପାଇଁ ମୋତେ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିବ। ନୂଆ ଭାବେ ମନ୍ତ୍ରୀ ହୋଇଥିଲି, ଆଗକୁ ଆହୁରି ଶିଖିବି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଦଳ ପାଇଁ କରିବି।

ସେଆହୁରି କହିଛନ୍ତି ଯେ, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମତେ ବହୁତ ଜିନିଷରେ ଆଶୀର୍ବାଦ କରିଛନ୍ତି। ଜିଲ୍ଲା ସଭାପତି, ଲିଫ୍ଟ ଇରିଗେସନ ଅଧ୍ୟକ୍ଷ କରିଥିଲେ, ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି। ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରିଥିଲେ। ଆଉ ମୁଁ ମୋର ସବୁ ପ୍ରକାର ପ୍ରୟାସ କରିଛି । କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଲାଗୁଛି ମୋର ପ୍ରୟାସରେ କମି ରହିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ରୋହିତ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ କରିଥିବା ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଇତିମଧ୍ୟରେ ଅନୁମୋଦନ କରିବା ସହ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନ ଆଧାରରେ ରୋହିତ ପୂଜାରୀଙ୍କ ନେତୃତ୍ୱାଧୀନ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠୁ ଖରାପ ଥିବାରୁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଉଛି।

ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚାିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଗତ ଦୁଇଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ସୁଧାକର ନାଏକଙ୍କୁ ସରକାର ପ୍ରତ୍ୟାହାର କରିନେଇଥିଲେ।

Leave A Reply

Your email address will not be published.