Odisha Link
Bridging the Missing Links in Odisha

ପହଣ୍ଡି ବେଳେ ମସ୍ତକରୁ ଖସିଗଲା ମହାବାହୁଙ୍କ ଚିତା

ଓଏଲ୍‌ ବ୍ୟୁରୋ: ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର।

ତେବେ ଏସବୁ ମଧ୍ୟରେ ଆଡ଼ପ ପହଣ୍ଡିରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା ପହଣ୍ଡି ବେଳେ ଚାର ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡାହାଣ ପାର୍ଶ୍ବକୁ ପଡ଼ିଯିବାର ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏହି ଅଘଟଣ ପାଇଁ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ଚିତା ବି ଖସିପଡ଼ିଥିଲା। ଯାହା ଏବେ ଭକ୍ତଙ୍କ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା, କେବଳ ଆଜି ଘଟନି, ରଥଯାତ୍ରାରେ ବି ସମାନ ଅଘଟଣ ଘଟିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରମାଳ ଉପରେ ଯିବାବେଳେ ଡାହାଣ ପାର୍ଶ୍ବକୁ ମାଡ଼ି ହୋଇ ପଡ଼ିଯାଇଥିଲେ। ଏଥିରେ କିଛି ସେବକ ବି ଚାରରୁ ଖସି ପଡ଼ିଥିଲେ।

ଗତକାଲି ସନ୍ଧ୍ୟାରେ ପ୍ରଥମେ ବଡ଼ଠାକୁର ବଳଭଦ୍ର ପରେ ମା’ ସୁଭଦ୍ରାଙ୍କ ଆଡ଼ପ ପହଣ୍ଡି ହୋଇଥିଲା। ଦୁଇ ଦେବଦେବୀଙ୍କ ପହଣ୍ଡି ସୁରୁଖୁରୁରେ ଶେଷ ହୋଇଥିଲା। କିନ୍ତୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା। ଏ ସଂପର୍କରେ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ବର୍ଷା ଯୋଗୁଁ ଆଜି ଚାର ଓଦା ରହିଥିଲା। ଯେଉଁଥିପାଇଁ ଚାରରେ ଚଢ଼ିବା ଓ ଓହ୍ଲାଇବା ବେଳେ ଗୋଡ଼ ଖସୁଥିଲା। ପହଣ୍ଡି ବେଳେ ବି ଚାରରେ ଗୋଡ଼ ଖସିଯିବାରୁ ଏଭଳି ଘଟିଥିଲା।

Leave A Reply

Your email address will not be published.