Odisha Link
Bridging the Missing Links in Odisha

ଆଜି ପବିତ୍ର ନୀଳାଦ୍ରିବିଜେ, ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ

ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ।

ଓଏଲ୍‌ ବ୍ୟୁରୋ: ନଅ ଦିନର ଲୀଳା ସାରି ମହାପ୍ରଭୁ ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଅନନ୍ୟ ନିଦର୍ଶନ। ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରି ବିଜେ ନାମରେ ଜଣା।

ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି। ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି। ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ। ଗହଳ, ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ। ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ। ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ଜଗନ୍ନାଥ ରସଗୋଲା ପରସିବା ବିଧି ରହିଛି।

ମାନଭଞ୍ଜନ ପରେ ସିଂହଦ୍ୱାର ଫିଟେ ଏବଂ ଦିଅଁମାନେ ରତ୍ନ ସିଂହାସନକୁ ବିଜେ କରନ୍ତି ଗୋଟି ପହଣ୍ଡିରେ। ମାତ୍ର ରଥାରୂଢ଼ ସମୟରେ ହୋଇଥାଏ ଧାଡ଼ି ପହଣ୍ଡି। ଏହି ପହଣ୍ଡିରେ ଗୋଟିଏ ଦିଅଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ଯାନ୍ତି ସେଇ ଶୈଳୀରେ। ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି। ଏହିଭଳି ଏକ ଅଭୂତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ବିରାଜମାନ କରନ୍ତି ରତ୍ନ ସିଂହାସନରେ।

Leave A Reply

Your email address will not be published.