Odisha Link
Bridging the Missing Links in Odisha

ସରିଲା ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରତ୍ନ ସିଂହାସନରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଓଏଲ୍‌ ବ୍ୟୁରୋ: ନଅ ଦିନର ଲୀଳା ସାରି ନୀଳକନ୍ଦରକୁ ଫେରିଛନ୍ତି ନୀଳାଦ୍ରିନାଥ। ନୀଳାଦ୍ରି ବିଜେ ପରେ ଆରମ୍ଭ ହେଲା ଦର୍ଶନ। ରତ୍ନ ସିଂହାସନରେ ଦର୍ଶନ ଦେଉଛନ୍ତି ତିନି ଠାକୁର। ଆଜି ଦିନ ୨ଟାରେ ବାହାରିବ ନୀଳାଚଳ ଅବଢ଼ା।

ଗତକାଲି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରିଥିଲେ ଚତୁର୍ଦ୍ଧାମୂରତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଶ୍ରୀମନ୍ଦିର ନିଆଯାଇଥିଲା। ପରେ ଭଉଣୀ ସୁଭଦ୍ରା ଏବଂ ପରେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ହୋଇଥିଲା। ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।

ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଅନନ୍ୟ ନିଦର୍ଶନ। ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରି ବିଜେ ନାମରେ ଜଣା।

ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି। ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି। ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ। ଗହଳ, ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ। ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ। ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ଜଗନ୍ନାଥ ରସଗୋଲା ପରସିବା ବିଧି ରହିଛି।

ମାନଭଞ୍ଜନ ପରେ ସିଂହଦ୍ୱାର ଫିଟେ ଏବଂ ଦିଅଁମାନେ ରତ୍ନ ସିଂହାସନକୁ ବିଜେ କରନ୍ତି ଗୋଟି ପହଣ୍ଡିରେ। ମାତ୍ର ରଥାରୂଢ଼ ସମୟରେ ହୋଇଥାଏ ଧାଡ଼ି ପହଣ୍ଡି। ଏହି ପହଣ୍ଡିରେ ଗୋଟିଏ ଦିଅଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ଯାନ୍ତି ସେଇ ଶୈଳୀରେ। ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି। ଏହିଭଳି ଏକ ଅଭୂତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ବିରାଜମାନ କରନ୍ତି ରତ୍ନ ସିଂହାସନରେ।

Leave A Reply

Your email address will not be published.