Odisha Link
Bridging the Missing Links in Odisha

‘ପୁଣିଥରେ ସରକାର କରିବ ବିଜେଡି’

ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା ଯାଏନି।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଗାମୀ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ନିର୍ବାଚନକୁ ନଜରରେ ରଖି ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏହାରି ମଧ୍ୟରେ ଆଗାମୀ ନିର୍ବାଚନକୁ ନେଇ ଏକ ପ୍ରକାର ଟାର୍ଗେଟ ବଦଳାଇଲା ବିଜେପି। ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୧୨୦କୁ ବେସ୍ କରି କାମ ହେବ ଏବଂ ରାଜ୍ୟରେ ୮୦ରୁ ଅଧିକ ସିଟ୍ ବିଜେପି ପାଇବ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଜେପି ଯେଉଁଠି ସମ୍ମିଳନୀ କରୁ ସେଥିରେ ଆମର ଯାଏ ଆସେ ନାହିଁ। ରାଜନୈତିକ ଦଳ ଭାବେ ବିଜେପି ତାହାର ରଣନୀତି କରିବ। କିନ୍ତୁ ବିଜେଡି ନିଜର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ଶକ୍ତିକୁ ସୁଦୃଢ କରିବା ସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛି। ତେଣୁ ପୁଣିଥରେ ବିଜେଡି ସରକାର କରିବ ଏଥିରେ କୌଣସି ଦ୍ୱିମତ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡିର ସାଙ୍ଗଠନିକ ଶକ୍ତି ମଜବୁତ ଅଛି। ବିଜେଡି ତାହାର କାର୍ଯ୍ୟକ୍ରମକୁ ଶାଣିତ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇଥାଏ। ସରକାରୀ ଯୋଜନା କିଭଳି ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକ ଉପକୃତ ହେବେ ଏବଂ ଲୋକଙ୍କ ସହ ଯୋଡି ହେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଏ ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି।

ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା ଯାଏନି। ବିଜେପି ଦଳ ଓଡ଼ିଶା ରାଜନୀତିକୁ ଅନେକ ଡାଏଲଗ ଦେଇଛନ୍ତି। କିନ୍ତୁ ଗାଁ ଗହଳିକୁ ବିଜେପି ଯେତେବେଳେ ଯାଉଛନ୍ତି ସେତେବେଳେ ଲୋକଙ୍କ ମନରେ ଗୋଟିଏ କଥା ଦେଖିବାକୁ ପାଉଛନ୍ତି ତାହା ହେଉଛି ନବୀନ ପଟ୍ଟନାୟକ।

ଅନ୍ୟପଟେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଏଥର ୮୦କୁ ଖସିଲା। ବିଜେପି ୮୦ ନେବ, ବିଜେଡି ୧୨୦ ନେବ, କଂଗ୍ରେସ ସଭାପତି କହୁଛନ୍ତି ଏଥର ୯୦। ମାତ୍ର ୧୪୭ଟି ଆସନ, ସେଥିରେ ପୁଣି ଏତେ ଆସନର ହିସାବ ଚାଲିଛି। ଲାଗୁଛି ବିଧାନସଭାର ଆଉ କିଛି ସିଟ୍ ବଢାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି।

ବୁଧାନ ମୁର୍ମୁଙ୍କ ମନ୍ତବ୍ୟକୁ ନେଇ ତାରା ପ୍ରସାଦ ବାହିନୀପତି ଆହୁରି ମଧ୍ୟ କହିଛନ୍ତି, ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢ଼ା ହେବ ଯାହାର ଦମ ସିଏ ଜିତିବ। କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ, ତମେ କିମ୍ବା ମୁଁ କରିବିନି। ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ କଣ ନିଯୁକ୍ତି ପାଇଛନ୍ତି ତାହାର ତର୍ଜମା କଲେଣି।

କଂଗ୍ରେସ କାହାକୁ ଭୟ କରେନି। ଗତଥର ୧୨୦ ପ୍ଲସ କଥା କହିଥିଲେ, ଡବଲ ଇଞ୍ଜିନ କଥା କହିଥିଲେ। ଶେଷରେ କଣ ହେଲା। କିନ୍ତୁ ଆମର ୯ରୁ ୯୦ ଲକ୍ଷ ରହିଛି। ୧୨୦ ଆସନରେ ଜିତିବୁ, ୮୦ ଆସନରେ ଜିତିବୁ। ଏଭଳି କହିବାକୁ ପାଟିକୁ କଣ ଟ୍ୟାକ୍ସ ପଡୁଛି କି! ତେଣୁ ଆଗାମୀ ଦିନରେ ଲୋକେ ନିଷ୍ପତି ନେବେ କିଏ କେତେ ସିଟ ନେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।

ଖବର ଅନୁସାରେ, ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ଠାରୁ ଆଉ କିଛି ଅଧିକ ଆସନର ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଥିବା କହିଛନ୍ତି ବିଧାୟକ ବୁଦ୍ଧାନ ମୁର୍ମୁ। ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ଆମ ଟାର୍ଗେଟ ୮୦ରୁ ଅଧିକ, ଯେମିତି ସରକାର ହୋଇପାରିବ। ସରକାର କରିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି।

Leave A Reply

Your email address will not be published.