Odisha Link
Bridging the Missing Links in Odisha

ଶସ୍ତା ପେଟ୍ରୋଲର ସୂତ୍ର ବତାଇଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ। ପରିବାଠୁ ଆରମ୍ଭ କରି ପେଟ୍ରୋଲ, ଗ୍ୟାସ୍‌ ଦର ପୂର୍ବଅପେକ୍ଷା ଅଧିକ ମହଙ୍ଗା ହୋଇଛି। ଯାହାର ପ୍ରଭାବ ସିଧା ଜନତାଙ୍କ ପକେଟ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ବରେ ଅଛି। ତେବେ ଏସବୁ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଦେଇଛନ୍ତି ବଡ଼ ବୟାନ। ପେଟ୍ରୋଲ ଲିଟର ପିଛା ୧୫ଟଙ୍କା ହୋଇପାରେ ବୋଲି କହିଛନ୍ତି ନୀତିନ ଗଡ଼କରୀ।

ରାଜସ୍ଥାନର ପ୍ରତାପଗଡରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଯଦି ହାରାହାରି ୪୦ ପ୍ରତିଶତ ବିଦ୍ୟୁତ ଏବଂ ୬୦ ପ୍ରତିଶତ ଇଥାନଲ ବ୍ୟବହାର କରାଯାଏ ତେବେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ହୋଇପାରେ। କାରଣ ପେଟ୍ରୋଲର ଆମଦାନୀ ନିମନ୍ତେ ଆମକୁ ଆଉ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି ଓ ଆପେଆପେ ଏହାର ଦାମ୍‌ ଆଶାତୀତ ଭାବେ ଖସିଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହା ଦେଶର ଲୋକଙ୍କୁ ଉପକୃତ କରିବ। ଦେଶରେ ପ୍ରଦୂଷଣ ହ୍ରାସ ହେବାକୁ ଯାଉଛି। ଆମ ସରକାରରେ ବିମାନ ପାଇଁ ଇନ୍ଧନ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଛି।

ନୀତିନ ଗଡକରୀ ନିଜ ଅଭିଭାଷଣରେ କହିଛନ୍ତି , ବର୍ତ୍ତମାନ କୃଷକ ଦେଶର ଖାଦ୍ୟ ଯୋଗାଣକାରୀ ହୋଇଥିବା ବେଳେ ଭବିଷ୍ୟତରେ ସେମାନେ ଶକ୍ତି ଯୋଗାଣକାରୀ ମଧ୍ୟ ହେବେ। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଇଥାନଲ ଓ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରି ଶକ୍ତି ଯୋଗାଣକାରୀ ହୋଇପାରିବେ। ଅଗଷ୍ଟ ମାସରେ ଟୟୋଟା କମ୍ପାନୀର ଗାଡି ଲଞ୍ଚ ହେବ। ଚାଷୀମାନେ ପ୍ରସ୍ତୁତ କରୁଥିବା ଇଥାନଲରେ ଚାଲିବ ଏହି ଗାଡ଼ି। ଏହା ପ୍ରଦୂଷଣକୁ ବହୁ ମାତ୍ରାରେ ରୋକିବାକୁ ସମ୍ଭବ ହେବ। ଏଥିସହ ପେଟ୍ରୋଲ ଓ ଡିଜେଲ ନିମନ୍ତେ ବାହାର ରାଷ୍ଟ୍ର ଉପରେ ଆମର ନିର୍ଭରଶୀଳତା ଆପେ ଆପେ କମିଯିବ।

Leave A Reply

Your email address will not be published.