Odisha Link
Bridging the Missing Links in Odisha

‘ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ’

ଆଇଆଇଟି ଜାଞ୍ଜିବର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଏଲ୍ ବ୍ୟୁରୋ: ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ। ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଏସ ଜୟ ଶଙ୍କର ଏବଂ ଜାଞ୍ଜିବରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ଦ୍ୱାରା ଭାରତ ବାହାରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ପ୍ରତିଷ୍ଠା ହେବା ପାଇଁ ଯାଉଛି। ଏହା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଲମ୍ବା ସମୟର ବନ୍ଧୁତ୍ୱର ପ୍ରତିଫଳନ। ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଯେଉଁ ପ୍ରାଥମିକତା ଦେଉଅଛି, ତାହାର ଏକ ବାସ୍ତବ ରୂପାୟନ।

ସେ ଆହୁରି ମଧ୍ୟ କହିଛନ୍ତି, ଆଇଆଇଟି ଜାଞ୍ଜିବର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ଆଫ୍ରିକା ସହ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାରେ ଏହି ପଦକ୍ଷେପ ଏକ ମୂର୍ତ୍ତିମନ୍ତ ପ୍ରତୀକ। ଜାତୀୟ ଶିକ୍ଷା ନୀତି ଜ୍ଞାନକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ଅଂଶରେ ପରିଣତ କରିବା ସହିତ ବିଶ୍ୱର କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ମାର୍ଗ ପ୍ରଶସ୍ତ କରୁଛି।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନ୍ତର୍ଜାତୀୟକରଣ ଉପରେ ଗୁରୁତ୍ୱ ଦେଉଅଛି ଏବଂ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ଦିଗରେ ଗୁତୁତ୍ୱ ଦେଉଅଛି। ତାଞ୍ଜାନିଆ ଏବଂ ଭାରତ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଶିକ୍ଷାଗତ ଭାଗିଦାରୀର ସମ୍ପର୍କକୁ ଏକ ଦସ୍ତାବିଜରେ ସ୍ୱାକ୍ଷର କରି ଆନୁଷ୍ଠାନିକ ରୂପ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ତାଞ୍ଜାନିଆର ଭାରତ ହାଇକମିଶନର ବିନୟ ଶ୍ରୀକାନ୍ତ ପ୍ରଧାନ, ଆଇଆଇଟି ମାଡ୍ରାସର ଡିନ(ଗ୍ଲୋବାଲ ମ୍ୟାନେମେଣ୍ଟ) ପ୍ରଫେସର ରଘୁନାଥନ ରେଙ୍ଗାସ୍ୱାମୀ, ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ବିଭାଗର କାର୍ଯ୍ୟକାରୀ ପ୍ରମୁଖ ସଚିବ ଖଲିଦ ମସୁଦ୍ ଓ୍ୱାଜିର୍ ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଓ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ।

Leave A Reply

Your email address will not be published.