ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ, ବିଜେପି ଟାର୍ଗେଟରେ ଶାସକଦଳ
କେବଳ ସବୁଜ ରଙ୍ଗ କରି ୫-ଟିର ପ୍ରସାର କରାଯାଉଛି।

ଓଏଲ୍ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୨୪ତମ ସ୍ଥାନରେ ରହିଛି, ଯାହା ଶିକ୍ଷା କ୍ଷେତ୍ରର ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ବିଜୁଜନତା ଦଳ ୨୩ ବର୍ଷ ଶାସନର ବିଫଳତାକୁ ଲୁଚାଇବା ପାଇଁ ପ୍ରତିଦିନ ମିଛ କଥା କହୁଛନ୍ତି ସ୍ପଷ୍ଟ ହୋଇଛି।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆହୁରି ମଧ୍ୟ କହିଛନ୍ତି, ବିଦ୍ୟାଳୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ, କେବଳ ସବୁଜ ରଙ୍ଗ କରି ୫-ଟିର ପ୍ରସାର କରାଯାଉଛି। ବାସ୍ତବିକ କଥା ହେଲା ବିଜୁ ଜନତା ଦଳ କ୍ଷମତା ଲୋଭରେ ରହିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଖବର ଅନୁସାରେ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ, ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଥିବା ଜଣା ପଡିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ୨୪ ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ରହିଛି ଚଣ୍ଡିଗଡ଼। ତେବେ ଏହାକୁ ନେଇ ଶିକ୍ଷାବିତମାନେ ଚିନ୍ତା ପ୍ରକଟ କରିଛନ୍ତି।