Odisha Link
Bridging the Missing Links in Odisha

କିଏ ହେବ ଦଶପଲ୍ଲା ବିଧାୟକ? ଅରୁଣଙ୍କ ପସନ୍ଦ ରବୀନ୍ଦ୍ର ସେଠୀ

ରାଜ୍ୟ ବାହାରେ କୋଇଲା ଶିଳ୍ପରେ କାର୍ଯ୍ୟରତ ରବୀନ୍ଦ୍ର ଯଦି କୌଣସି କାରଣରୁ ବିଜେଡି ଟିକେଟ୍‌ ନପାଆନ୍ତି ତେବେ ବି ସ୍ବାଧୀନ ଅଥବା ଅନ୍ୟ ଦଳରୁ ଲଢ଼ି ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିବାର ଅଦୃଶ୍ୟ ଅଭୟ ପାଇ ସାରିଛନ୍ତି।

୨୦୦୦ ମସିହା ପରଠାରୁ ନୟାଗଡ଼ ଜିଲ୍ଲାରେ ବିଜେଡି ବିଧାୟକ ପ୍ରାର୍ଥୀ ଚୟନରେ ଏକ ଧାରା ପ୍ରଚଳିତ ହୋଇଆସିଛି। ବିଧାୟକ ଅରୁଣ କୁମାର ସାହୁଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଜିଲ୍ଲାର ଅନ୍ୟ କୌଣସି ବିଧାନସଭା କ୍ଷେତ୍ରରେ କୌଣସି ବି ପ୍ରାର୍ଥୀ ଲଗାତର ଭାବେ ଦ୍ବିତୀୟ ଥର ନିର୍ବାଚନ ଲଢ଼ିବାର ସୁଯୋଗ ପାଇନାହାନ୍ତି। ଏଥର ମଧ୍ୟ ସମାନ ଧାରା ଦୋହରାଇବା ଲକ୍ଷ୍ୟରେ ଅଛନ୍ତି ବିଜେଡିର ତୁଙ୍ଗ ନେତା ଅରୁଣ କୁମାର ସାହୁ। ସେହି ମର୍ମରେ ୨୦୨୪ ନିର୍ବାଚନ ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତାଙ୍କର ପସନ୍ଦ ପ୍ରାର୍ଥୀ ହେଉଛନ୍ତି ରବୀନ୍ଦ୍ର ସେଠୀ। ରାଜ୍ୟ ବାହାରେ କୋଇଲା ଶିଳ୍ପରେ କାର୍ଯ୍ୟରତ ରବୀନ୍ଦ୍ର ଯଦି କୌଣସି କାରଣରୁ ବିଜେଡି ଟିକେଟ୍‌ ନପାଆନ୍ତି ତେବେ ବି ସ୍ବାଧୀନ ଅଥବା ଅନ୍ୟ ଦଳରୁ ଲଢ଼ି ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିବାର ଅଦୃଶ୍ୟ ଅଭୟ ପାଇ ସାରିଛନ୍ତି।

ରବୀନ୍ଦ୍ରଙ୍କ ଜନ୍ମ ୧୯୭୮ ମସିହାରେ, ବୟସ ୪୫ ବର୍ଷ। ପ୍ରାୟ ଦୁଇ ଦଶନ୍ଧିର ବୃତ୍ତିଗତ ଅଭିଜ୍ଞତା ରହିଛି। ସଂପ୍ରତି ସେ ଝାଡ଼ଖଣ୍ଡର ଧାନବାଦଠାରେ ଭାରତ କୋକିଂ କୋଲ୍‌ ଲିମିଟେଡ୍‌ର ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ବର୍ତମାନ ସେଠାରେ ବିଧାୟକ ଥିବା ରମେଶ ଚନ୍ଦ୍ର ବେହେରା ମଧ୍ୟ ସରକାରୀ ଚାକିରି ଛାଡ଼ି ୨୦୧୯ରେ ନିର୍ବାଚନ ଲଢ଼ିଥିଲେ। ପ୍ରଥମରୁ ତାଙ୍କର ତୁଙ୍ଗନେତା ଅରୁଣଙ୍କ ସହ ସୁସଂପର୍କ ଥିଲା। ତେବେ ପ୍ରତି ନିର୍ବାଚନରେ ବିଜେଡିର ନୂଆ ପ୍ରାର୍ଥୀ ଦେବାନେଇ ଅରୁଣଙ୍କ ଅଭିସନ୍ଧି ବାବଦରେ ଜାଣିବା ପରେ କିଛିମାସ ହେଲା ଦୁଇ ବିଧାୟକଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ତିକ୍ତତା ଏପରି ତୀବ୍ର ଯେ ସାମାଜିକ ଗଣମାଧ୍ୟମରେ ଅରୁଣଙ୍କ ପ୍ରଶଂସକ ପୃଷ୍ଠାଗୁଡ଼ିକରେ ଖୋଲାଖୋଲି ଭାବେ ରମେଶଙ୍କ ବିରୋଧରେ ଉଲ୍ଲେଖ କରାଯାଉଛି।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡି ଏକପ୍ରକାର ଦୁଇଭାଗ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ସ୍ଥାନୀୟ ବିଧାୟକ ରମେଶଙ୍କୁ ସମର୍ଥନ ଦେଉଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ନୟାଗଡ଼ ବିଧାୟକ ଅରୁଣଙ୍କ ଦ୍ବାରା ପରିଚାଳିତ ହେଉଛି। ନିର୍ବାଚନର ଗୁରୁତ୍ବ ଦୃଷ୍ଟିରୁ ଦୁଇ ପଡ଼ୋଶୀ ବିଧାୟକ ଏବେ ଅଧିକାଂଶ ସମୟ ନିଜ ନିର୍ବାଚନ ମଣ୍ଡଳୀରୋ ପଡ଼ି ରହୁଛନ୍ତି। ପ୍ରଶାସନିକ ସ୍ତରରେ କ୍ଷମତା କେନ୍ଦ୍ର ସହ ସୁସମ୍ପର୍କ ଥିବା ରମେଶ ପୁଣି ଥରେ ଦଶପଲ୍ଲା ଦଖଲର ଲକ୍ଷ୍ୟ ରଖିଥିବାବେଳେ ନୂଆ ମୁହଁ ରବୀନ୍ଦ୍ରଙ୍କୁ ପ୍ରାର୍ଥୀ କରାଇ ଜିଲ୍ଲାରେ ନିଜର ଆଧିପତ୍ୟ ବଞ୍ଚାଇ ରଖିବା ଯୋଜନା କରୁଛନ୍ତି ଅରୁଣ।

ରାଜନୀତିଠାରୁ ଦୂରରେ ଥିଲେ ବି ରବୀନ୍ଦ୍ର ପିଲାବେଳୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍ଏସ୍) ଓ ଭାରତୀୟ ଜନତା ପାର୍ଟି (ବିଜେପି) ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି। ଅରୁଣଙ୍କ ସହ ନିକଟରେ ତାଙ୍କର ମିଳାମିଶା ପରେ ସେ ବିଜେଡିରୁ ଟିକେଟ୍‌ ପାଇବା ନେଇ ଏକପ୍ରକାର ନିଶ୍ଚିତ ହୋଇ ଯାଇଛନ୍ତି। ଏବେ ବି ଚାକିରିରେ ଥିବା ରବୀନ୍ଦ୍ର ମଝିରେ ମଝିରେ ଦଶପଲ୍ଲା ଆସି ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି।

ରବୀନ୍ଦ୍ରଙ୍କୁ ଯେମିତି ହେଲେ ଏଥର ଦଶପଲ୍ଲାର ବିଧାୟକ କରିବା ଜିଦ୍‌ରେ ଅଟଳ ଅଛନ୍ତି ଅରୁଣ କୁମାର ସାହୁ। ଏପରିକି ଯଦି ବିଜେଡି ଆଉ କାହାକୁ ଟିକେଟ୍‌ ଦିଏ ତେବେ ଅରୁଣଙ୍କ ଗୋପନ ସମର୍ଥନରେ ରବୀନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ବା ବିଜେପି ପ୍ରାର୍ଥୀ ହୋଇ ୨୦୨୪ରେ ନିର୍ବାଚନ ଲଢ଼ିବାକୁ ତିଆର ହେଉଛନ୍ତି। ରବୀନ୍ଦ୍ରଙ୍କ ଟୁଇଟର ଆକାଉଣ୍ଟ୍‌ରେ ସେ ଖୋଲାଖୋଲି ବିଜେପିକୁ ସମର୍ଥନ କରୁଥିବାବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କ ବାବଦରେ କେବେକେବେ ନକାରାତ୍ମକ ମନ୍ତବ୍ୟ ଦେବାର ଦେଖାଯାଉଛି। ତେବେ ସେ ବିଜେଡି ବିରୋଧରେ କେବେ କିଛି ପୋଷ୍ଟ କରୁନଥିବା ଦେଖାଯାଇଛି। ଦଶପଲ୍ଲାରେ ସ୍ଥାନୀୟ ବିଜେପି ସମର୍ଥକ ଓ ଆର୍‌ଏସ୍ଏସ୍‌ କର୍ମୀଙ୍କ ସହ ମଧ୍ୟ ସମ୍ପର୍କରେ ଅଛନ୍ତି ରବୀନ୍ଦ୍ର।

ଦଶପଲ୍ଲାରେ ଅରୁଣଙ୍କ ହାକିମାତିକୁ ପୁରୁଣା ଓ ଟିକେଟ୍‌ ହରାଇଥିବା ପୂର୍ବ ନେତାଗଣ ପସନ୍ଦ କରୁନଥିବାବେଳେ ତାଙ୍କର ଯୋଜନାକୁ ପଣ୍ଡ କରିବା ପାଇଁ ଏବେ ସ୍ଥାନୀୟ ବିଜେପିର କିଛି ନେତା ଓ କର୍ମୀ ବିଧାୟକ ରମେଶଙ୍କ ସହ ହାତ ମିଳାଇଥିବା ସୂଚନା ମିଳୁଛି।

Leave A Reply

Your email address will not be published.