ଗୋଲଡେନ୍ ବାବା ନାଁରେ ଠକେଇ ଅଭିଯୋଗ: ଠାବ ହେଲା ବିଏମ୍ଡବ୍ଲୁ କାର୍, ଆଗରୁ ମିଳିଥିଲା ଅଡି

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଗୋଲଡେନ ବାବାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଇଡି ତଦନ୍ତ କରୁଥିବାବେଳେ ଗୋଲଡେନ ବାବାର ଏକ ବିଏମ୍ଡବ୍ଲୁ କାର୍ ଜବତ କରାଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କ୍ୟାମ୍ପସ ଭିତରୁ କାର୍ ଜବତ ହୋଇଛି। ପୂର୍ବରୁ ମଧ୍ୟ ଗୋଲଡେନ ବାବାର ଏକ ଦାମୀ କାର୍ ଜବତ ହୋଇଥିଲା।
ଖବର ଅନୁସାରେ, ବହୁ ଚର୍ଚ୍ଚିତ ଗୋଲଡେନ ବାବା ଅନେକ ଅପରାଧିକ ମାମଲାରେ ୬ ଜଣଙ୍କ ଠାରୁ ୫ କୋଟି ୫୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ତଦନ୍ତ କରି ଭୁବନେଶ୍ୱର ସିଆରପି ନିକଟରୁ ତାଙ୍କ ଦାମୀ ଗାଡିକୁ ଜଵତ କରିଥିଲା ଇଡି। ଗୋଲଡେନ୍ ବାବାଙ୍କ ୨୮ ଲକ୍ଷର ଅଡି କାର ସିଜ ହୋଇଥିଲା। ଅପରାଧିକ ମାମଲାରେ ଜଡିତ ଥିବା ଗୋଲଡେନ୍ ବାବା ଓରଫ୍ ଜ୍ୟୋତି ରଞ୍ଜନ ବେହେରା ଏବେ ଫେରାର ଅଛନ୍ତି।
ଖବର ଅନୁସାରେ, ଗୋଲଡେନ୍ ବାବା ଓରଫ୍ ଜ୍ୟୋତିରଞ୍ଜନଙ୍କ ଘର କେନ୍ଦୁଝର ବଡ଼ବିଲ ଅଞ୍ଚଳରେ ଅଟେ। ୨୦୨୦ ଜାନୁଆରୀରେ ଗୋଲଡେନ୍ ବାବାଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ଜାମିନରେ ଆସିବା ପରେ ସେ ଫେରାର ହୋଇଯାଇଥିଲେ। ଇଓଡବ୍ଲ୍ୟୁ ପ୍ରଥମେ ତାଙ୍କୁ ସମନ କରିଥିଲା। ସେ ନ ଆସିବାରୁ ତାଙ୍କ ବିରୋଧରେ ଗିରଫ ବିହୀନ ଜାମିନ୍ ପରୱାନା ଜାରି କରିଥିଲା। ପରେ ନିଜ ଆଡୁ ମାମଲା ରୁଜୁ କରିଥିଲା।