ନବ ଦାସଙ୍କ ସ୍ତ୍ରୀ ଓ ପୁଅ କହିଥିବା ପ୍ରି-ପ୍ଲାନ୍ ମର୍ଡର କଥା ସତ୍ୟ: ତାରା ବାହିନୀପତି
ନବ ଦାସଙ୍କ ହତ୍ୟାରେ ଚାଲିଥିବା ତଦନ୍ତର ମୋଡ଼ ବଦଳା ଯାଉଛି

ଓଏଲ୍ ବ୍ୟୁରୋ: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ନବ ଦାସ ହତ୍ୟା ଚାର୍ଜସିଟ ନେଇ ବିଧାୟକ ତାରା ବାହିନୀପତି ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ସ୍ତ୍ରୀ ଓ ପୁଅ କହିଥିବା ପ୍ରି-ପ୍ଲାନ୍ ମର୍ଡର କଥା ସତ୍ୟ। ତାଙ୍କର ବହୁତ ଶତ୍ରୁ ଥିଲେ ତାହା ବି ସତ୍ୟ। ସରକାର ଏହି କଥାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ। ଆହୁରି ଭିତରକୁ ଯାଇକି ଘଟଣାର ତଦନ୍ତ କରିବା ଆବଶ୍ୟକ। ନବ ଦାସଙ୍କ ହତ୍ୟାରେ ଚାଲିଥିବା ତଦନ୍ତର ମୋଡ଼ ବଦଳା ଯାଉଛି। ଏହି କଥାକୁ ତାରା ବାହିନୀପତି ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି।
ସୂଚନା ଅନୁସାରେ, ନବ ଦାସ ହତ୍ୟା ମାମଲାରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରିଛି। ଏହି ମାମଲାରେ ୧୦୦ ଜଣ ସାକ୍ଷୀ ରହିଥିବା ବେଳେ ୯୦ଟି ଡକ୍ୟୁମେଣ୍ଟ ଚାର୍ଜସିଟରେ ଦାଖଲ କରାଯାଇଛି। ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ନବ ଦାସଙ୍କୁ ହତ୍ୟା କରିଥିବା ନେଇ କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ କରିଛି। କିନ୍ତୁ ଏହି ଘଟଣାରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ବୟାନରେ କହିଛନ୍ତି, ‘ମୋ ବାପାଙ୍କୁ ପ୍ରି ପ୍ଲାନ୍ ମର୍ଡର କରାଯାଇଛି। କାରଣ ବ୍ରଜରାଜନଗରରେ ମୋର ବାପାଙ୍କ ବିରୋଧୀ ଥିଲେ।’
ସେହିପରି ସ୍ବର୍ଗତ ଦାସଙ୍କ ପତ୍ନୀ ମିନତି ମଧ୍ୟ ତାଙ୍କ ବୟାନରେ କହିଛନ୍ତି, ‘ମୋ ସ୍ବାମୀଙ୍କୁ ପ୍ରି ପ୍ଲାନ୍ ମର୍ଡର କରାଯାଇଛି। କାରଣ ଏହା ଆଗରୁ ମୋତେ ମୋ ସ୍ବାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେ।’ ନବ ଦାସ ହତ୍ୟା ଘଟଣା ପରଠାରୁ ଏହି ଦିଗ ପ୍ରତି ସମସ୍ତେ ଅଭିଯୋଗ କରୁଥିବା ବେଳେ ଗୋପାଳ ପଛରେ କିଏ ବୋଲି ପ୍ରଶ୍ନ ଉଠାଇ ଆସିଛନ୍ତି। ସେପଟେ, କ୍ରାଇମ୍ବ୍ରାଞ୍ଚ ଏହି ଷଡ଼୍ଯନ୍ତ୍ର ଦିଗରେ ତଦନ୍ତ କରି ନଥିବା ନେଇ ବି ବିରୋଧୀ ବାରମ୍ବାର ଅଭିଯୋଗ କରୁଥିବା ଜଣା ପଡିଛି।