Odisha Link
Bridging the Missing Links in Odisha

ନବୀନଙ୍କୁ ଭେଟିଲେ ଟୋନି ବ୍ଳେୟର

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ଏହି ଗସ୍ତ ସମୟରେ ଟୋନି ବ୍ଲେୟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାକୁ ପ୍ରଶଂସା କଲେ ଟୋନି ବ୍ଲେୟାର। ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା କୁହାଯାଉଛି।

ଗତ ୨୧ ତାରିଖରେ ଟୋନି ବ୍ଲେୟାରଙ୍କ ‘ଟୋନି ବ୍ଲେୟାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ଚେଂଜ’ ନାମକ ସଂସ୍ଥା ସହ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ସଂସ୍ଥା ବିଭିନ୍ନ ଦେଶରେ ନିବେଶକଙ୍କୁ ଆକୃଷ୍ଟ କରିବା ନେଇ କାର୍ଯ୍ୟ କରୁଛି। ‘ଟୋନି ବ୍ଲେୟାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ଚେଂଜ’ ବିଭିନ୍ନ ଦେଶ ତଥା ରାଜ୍ୟମାନେ କିଭଳି ଅଧିକରୁ ଅଧିକ ଅର୍ଥନୈତିକ ଦିଗରେ ସଫଳ ହେବେ, ସେଥିପାଇଁ ସଂସ୍ଥା ପରାମର୍ଶ ଦେଇଥାଏ।

ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷର ହୋଇଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ। ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ।

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି। ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି।

Leave A Reply

Your email address will not be published.