Odisha Link
Bridging the Missing Links in Odisha

୭୦ ବର୍ଷରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, “କଥା ସତୁରି” ଉନ୍ମୋଚିତ

ଭୁବନେଶ୍ବର: ଆଜି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ୭୦ତମ ଜନ୍ମ ଦିବସ। ଏହି ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଜୟଦେବ ଭବନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଜନ୍ମ ଦିବସ ଅବସରରେ ଆଜି ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶନୀ ସଂସ୍ଥା ପକ୍ଷରୁ ଦାଶ ବେନହୁରଙ୍କ ନିର୍ବାଚିତ ୭୦ଟି ଗପକୁ ନେଇ “କଥା ସତୁରି” ଉନ୍ମୋଚିତ ହୋଇଯାଇଛି। ‘କଥା ସତୁରି’ ଉନ୍ମୋଚନ ଉତ୍ସବ ଅବସରରେ ଉପସ୍ଥିତ ଅତିଥିମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ଏଭଳି କିଛି ଆଶୀର୍ବଚନ ପ୍ରଦାନ କରିଥିଲେ।

୭୦ବର୍ଷ ଉତ୍ତାରୁ ଜଣେ ସାହିତ୍ୟିକ ତା’ର ଶ୍ରେଷ୍ଠ ରଚନା ପ୍ରକାଶ କରିଥାଏ। ତେଣୁ ପ୍ରଥିତଯଶା ସାହିତ୍ୟିକ ଦାଶ ବେନହୁର ମଧ୍ୟ ତାଙ୍କ ସାରସ୍ବତ ଯାତ୍ରାକୁ ସୁଗମ କରି ଶତାୟୁ ହୁଅନ୍ତି। ତାଙ୍କ ରଚନାଶୈଳୀ ସ୍ବତନ୍ତ୍ର। ସେହି ସ୍ବତନ୍ତ୍ରତା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟ ଓ ଇତିହାସର ଅବହେଳିତ ଉଜ୍ଜ୍ବଳ ଜ୍ୟୋତିଷ୍କ ମଧୁସୂଦନ ଦାସଙ୍କୁ ସର୍ବସାଧାରଣରେ ଅତି ସୁନ୍ଦର ଭାବେ ଉନ୍ମୋଚିତ କରିପାରିଛନ୍ତି। ତାଙ୍କ ରଚିତ ‘ପଗଡ଼ି ପୁରୁଷ’ ଏକ ଶ୍ରେଷ୍ଠ ରଚନା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଇଶ୍ବର ତାଙ୍କୁ ବିଂଶତର(୧୨୦) ବର୍ଷ ଜୀବନ ଦିଅନ୍ତୁ। ବର୍ତ୍ତମାନଠାରୁ ତାଙ୍କର ଭିନ୍ନ ଏକ ସାରସ୍ବତ ଯାତ୍ରାର ଅୟମାରମ୍ଭ ହେଉ ଓ ସେ ଓଡ଼ିଆ ସାହିତ୍ୟ ଜଗତକୁ ଆହୁରି ଅନନ୍ୟ ତଥା କାଳଜୟୀ ସୃଷ୍ଟି ଭେଟି ଦିଅନ୍ତୁ। ଏଭଳି କିଛି ଆଶିର୍ବଚନ ପ୍ରଦାନ କରିଥିଲେ ଅତିଥି।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ‌ କହିଲେ ଯେ ଜଣେ ଉତ୍ତମ ଲେଖକ ପୁରସ୍କାର ପଛରେ ଦୌଡ଼ିବାଦ୍ବାରା ନିଜ ସାରସ୍ବତ ଯାତ୍ରା ବାଧାପ୍ରାପ୍ତ ହେବ। ଏଥିରୁ ନିବୃତ୍ତ ରହି ସେ ନିରନ୍ତର ଭା‌ବେ ତା’ର ସାରସ୍ବତ ଯାତ୍ରାକୁ ଜାରି ରଖିବା ଉଚିତ। ବିଶେଷ କିଛି ସମ୍ମାନ ହାସଲ କରିପାରିନଥିବା ଲେଖକ ହେଉଛନ୍ତି ଦାଶ ବେନହୁର। ସେ ଯେଉଁ ମାଟିର ସନ୍ତାନ ସେ ମାଟିର ପୂର୍ବଜ ପଠାଣି ସାମନ୍ତ ମଧ୍ୟ ବିଶେଷ କିଛି ପୁରସ୍କାର ପାଇପାରିନାହାନ୍ତି। ହେଲେ ତାଙ୍କର ଅନନ୍ୟ ପ୍ରତିଭା ଓ ଗଭୀର ଅଧ୍ୟବସାୟ ଯୋଗୁଁ ସେ ପୁରପଲ୍ଲୀରେ ସର୍ବତ୍ର ପରିଚିତ। ସେହିଭଳି ଶ୍ରୀ ବେନହୁର ମଧ୍ୟ ବିଭିନ୍ନ ପୁରସ୍କାର ହାସଲ ନ କରନ୍ତୁ ପଛେ, ‘ପଗଡ଼ି ପୁରୁଷ’ ଭଳି ଶ୍ରେଷ୍ଠ ଓ ଅନନ୍ୟ କୃତୀ ଆମକୁ ଭେଟି ଦେଇଛନ୍ତି। ଉତ୍କଳ ପ୍ରଦେଶ ଗଠନରେ ମଧୁ ବାବୁଙ୍କର ବିଶେଷ ଅବଦାନ ଥିଲା। ହେଲେ ତାଙ୍କୁ ଆମ ଜାତି ଯେତିକି ଜାଣିବା କଥା ତା’ ଜାଣିପାରିନଥିଲା। ଅନ୍ତତପକ୍ଷେ ଏହି ପୁସ୍ତକ ମାଧ୍ୟମ‌ରେ ତାଙ୍କ ସ୍ମୃତି ଉଜ୍ଜୀବିତ ହୋଇପାରିଥିବ ବୋଲି ଆମେ ଆଶା କରିବା। ଏଥିପାଇଁ ପାଠକମାନେ ତାଙ୍କୁ ଯେଉଁ ସମ୍ମାନ ପ୍ରଦାନ କରିଛନ୍ତି, ତା’ ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ପଦବାଚ୍ୟ।

ବିଶିଷ୍ଟ ଅତିଥି ବର୍ଷିୟାନ୍‌ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ ଶ୍ରୀ ବେନହୁରଙ୍କ ପ୍ରତିଟି ଲେଖାରେ ବଳିଷ୍ଠ ଅନୁଭବ ଓ ପ୍ରତ୍ୟକ୍ଷ ସମ୍ପର୍କ ଖୁବ୍‌ ସୁନ୍ଦର ଭାବେ ବାରି ହୋଇପଡ଼େ। ଏହା ହିଁ ତାଙ୍କର ମୂଳ ସାହିତ୍ୟ। ତୁଣ୍ଡ ଓ ଦାଣ୍ଡର ଭାଷାକୁ ସେ ଅତ୍ୟନ୍ତ ସରଳ ଓ ସହଜ ଭାବେ ପିଲାଠୁ ବୁଢ଼ା ସମସ୍ତଙ୍କ ପାଇଁ ପରଷି ଦିଅନ୍ତି। ବରିଷ୍ଠ ଅତିଥି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଫକୀରମୋହନ ସେନାପତିଙ୍କ ଉଦାହରଣ ଦେଇ କହିଲେ ଯେ ସେ ୭୦ ବର୍ଷ ପରେ ଯେମିତି ରଚନା କରିଥିବା ପ୍ରତିଟି ଲେଖା କାଳଜୟୀ ହୋଇପାରିଛି। ସେମିତି ଶ୍ରୀ‌ ବେନହୁର ମଧ୍ୟ ଏବେ ସୁନ୍ଦର ରଚନାମାନ ସୃଷ୍ଟି କରନ୍ତୁ। ପାଉଁଶ ତଳର ନିଆଁକୁ ଯେମିତି ବୁଝାଇ ହୁଏନି, ସେମିତି ତାଙ୍କ ପ୍ରତିଭାର ଜ୍ବଳନ୍ତ ଅଗ୍ନିସ୍ଫୁରଣ ମଧ୍ୟ ସର୍ବସମ୍ମୁଖରେ ସୁନ୍ଦର ଭାବେ ଉତ୍ତରିତ ହୋଇଛି। ସେ ଓଡ଼ିଆ ସାହିତ୍ୟରେ ନୂତନ କୋଣାର୍କ ତିଆରି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବରେଣ୍ୟ ଅତିଥି ପ୍ରଫେସର୍‌ ଶାନ୍ତନୁ ଆଚାର୍ଯ୍ୟ କହିଲେ ଯେ ଓଡ଼ିଶାରେ ଅବହେଳିତ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କୁ ପ୍ରଥମେ ସର୍ବସମ୍ମୁଖରେ ଅବତାରଣା କରିବାରେ ସଫଳ ହୋଇଥିଲେ। ପରେ ଦାଶ ବେନହୁରଙ୍କ ରଚିତ ‘ପଗଡ଼ି ପୁରୁଷ’ ପ୍ରତି ଓଡ଼ିଆଙ୍କ ପାଖରେ ପହଞ୍ଚାଇ ପାରିଛି। ସେହିଭଳି ଗାନ୍ଧୀଜୀଙ୍କୁ ସେ ସାଧାରଣ ପାଠକ ପାଖରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ଅବସରରେ ଦାଶ ବେନହୁର ଉପସ୍ଥିତ ଅତିଥିମାନଙ୍କଠାରୁ ଆଶୀର୍ବଚନ ଗ୍ରହଣ କରିବା ସହ ଏହି ଆଶୀର୍ବାଦ ବଳରେ ନିଜର ସାରସ୍ବତ ଯାତ୍ରାକୁ ଋଦ୍ଧିମନ୍ତ କରିବାରେ ବେଶ ସହାୟକ ହେବ ବୋଲି କହିଥିଲେ।

ଶ୍ରୀ ବେନହୁରଙ୍କ ସମଗ୍ର ଗଳ୍ପ ସଂକଳନରେ ଥିବା ଦୁଇ ଶହ ଗଳ୍ପ ମଧ୍ୟରୁ ୭୦ ଟି ଗଳ୍ପକୁ ନିର୍ବାଚିତ କରି କଥାକାର ପବିତ୍ର ମୋହନ ପାଣିଗ୍ରାହୀ ଏହି ପୁସ୍ତକଟି ସଂପାଦିତ କରିଛନ୍ତି। ଏହି ଅବସରରେ ସେ ନିଜର ଅନୁଭୂତି ବାଣ୍ଟିଥିଲେ। ପେନ୍‌ ଇନ୍‌ ବୁକ୍ସ ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନେ ଯୋଗଦେଇ ଶ୍ରୀ ବେନହୁରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। କବି ପବିତ୍ର ମୋହନ କର ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.