ମିଶନ ସୂର୍ଯ୍ୟ: ଆଦିତ୍ୟ ଏଲ-୧ର ପ୍ରଥମ ଫଟୋ ଜାରି କଲା ଇସ୍ରୋ

ଓଏଲ୍ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି। ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ। ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେ ପଠାଇବ ଇସ୍ରୋ। ଆଦିତ୍ୟ ଏଲ-୧ର ପ୍ରଥମ ଫଟୋ ଇସ୍ରୋ ଜାରି କଲା।
ଚଳିତ ବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ମହାକାଶ ଯାନ ଆଦିତ୍ୟ ଏଲ୍-ୱାନ୍। ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ କରିବେ ଗବେଷଣା। ସୂର୍ଯ୍ୟର ଅତି ବାଇଗଣି ରଶ୍ମିକୁ ନେଇ ମହାକାଶ ଯାନ ଆଦିତ୍ୟ ଏଲ୍-ୱାନ୍ ତଥ୍ୟ ସଂଗ୍ରହ କରିବ।
ଆଦିତ୍ୟ ଏଲ-୧ ପାଖରେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ୭ଟି ପେଲୋଡ୍ସ ଲାଗିଛି। ଏହା ମଧ୍ୟରେ ରହିଛି ପାପା। ୭ ପେଲୋଡ୍ସ ଏକାଠି ସୂର୍ଯ୍ୟଙ୍କ ଉପରେ ସର୍ବେକ୍ଷଣ କରିବେ। ଇସ୍ରୋ ଦ୍ୱାରା ପ୍ରସ୍ତୁତ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କର ଏଚଡି ଫଟୋ ଉତ୍ତୋଳନ କରିବ। ଏହାକୁ ପିଏସଏଲଭି ରେକେଟରୁ ଲଞ୍ଚ କରାଯିବ। ଏହି ପେଲୋଡରେ ସଂଲଗ୍ନ କ୍ୟାମେରା ସୂର୍ଯ୍ୟଙ୍କର ହାଇ ରେଜୋଲ୍ୟୁସନ୍ ଫଟୋ ନେବ। ଏଥିରେ ସଂଲଗ୍ନ ‘ପାପା’ ପେଲୋଡ୍ସ ସୂର୍ଯ୍ୟଙ୍କ ଉତ୍ତପ୍ତ ଗ୍ୟାସରେ ଥିବା ଇଲେକ୍ଟ୍ରନ୍ସ ଓ ଭାରୀ ଆୟନର ଉପରେ ତଥ୍ୟ ସଂଗ୍ରହ କରିବ। ଏହି ଗ୍ୟାସ କେତେ ଉତ୍ତପ୍ତ , ଆୟନର ଓଜନ କେତେ ଏସବୁ ଅନୁଧ୍ୟାନ କରିବ।
ସୂଚନା ଅନୁସାରେ, ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ନରମ ଅବତରଣ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି। ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ।