ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ: ଏଣିକି ଅବୈଧ ସନ୍ତାନଙ୍କୁ ମିଳିବ ପୈତୃକ ସମ୍ପତି

ଓଏଲ୍ ବ୍ୟୁରୋ: ହିନ୍ଦୁ ବିବାହ ଆଇନକୁ ନେଇ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଶୁଣାଇଛନ୍ତି। ଅବୈଧ ବୈବାହିକ ସମ୍ପର୍କରୁ ଜାତ ସନ୍ତାନମାନେ ପୈତୃକ (ପ୍ୟାରେଣ୍ଟ) ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ। ହିନ୍ଦୁ ବିବାହ ଆଇନ ଅନୁସାରେ ଏହି ସନ୍ତାନମାନେ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅବୈଧ ବିବାହରୁ ଜନ୍ମିତ ପିଲାମାନେ ବି ପିତା-ମାତାଙ୍କ ପୈତୃକ ସମ୍ପତିରୁ ଭାଗ ପାଇପାରିବେ। ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ପିଲା କେବଳ ପିତା-ମାତାଙ୍କ ସ୍ୱ-ଅର୍ଜିତ ସମ୍ପତିରୁ ଭାଗ ପାଉଥିଲେ। ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନଙ୍କୁ ପୈତୃକ ସମ୍ପତିର ଉତରାଧିକାରୀ ଭାବେ ଆଇନଗତ ମାନ୍ୟତା ମିଳିଛି।
ସୂଚନା ଅନୁସାରେ, ପୂର୍ବରୁ ୨୦୧୧ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ପୀଠ ଅଗ୍ରାହ୍ୟ କରିଥିଲେ। ପୂର୍ବ ରାୟରେ କେବଳ ବୈଧ ବୈବାହିକ ସମ୍ପର୍କରୁ ଜାତ ସନ୍ତାନଙ୍କୁ ପୈତୃକ ସମ୍ମତିରେ ଅଧିକାର ମିଳିବ ଏବଂ ଅବୈଧ ସନ୍ତାନ ଏଥିରୁ ଭାଗ ପାଇପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା। ପୀଠ କହିଛନ୍ତି ଯେ ସମ୍ପ୍ରତି ସାମାଜିକ ରୀତିନୀତି ଅନେକ ବଦଳି ଗଲାଣି। ପୂର୍ବରୁ ଯାହା ଅବୈଧ ଥିଲା, ଏବେ ତାହା ବୈଧ ହୋଇଗଲାଣି। ବୈଧତାର ସଂଜ୍ଞା ପରିବର୍ତ୍ତନ ହେଲାଣି।
ଏପରି ସ୍ଥଳେ ଆଇନ ସ୍ଥାଣୁ ହୋଇପାରିବ ନାହିଁ; ବରଂ ପରିବର୍ତ୍ତିତ ଧାରା ସହିତ କାର୍ଯ୍ୟକାରୀ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଏହା କେବଳ ଅଭିବାଜିତ ହିନ୍ଦୁ ପରିବାରର ସମ୍ପତି ଭାଗବଣ୍ଟାରେ ଲାଗୁ ହେବ। ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୧୬ର ଉପଧାରା ୩ରେ ପରିସୀମା ବଢିଛି। ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିବାଲା, ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି।