Odisha Link
Bridging the Missing Links in Odisha

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି, ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଓଏଲ୍ ବ୍ୟୁରୋ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସଜେଇ ହୋଇଛି ବିଭିନ୍ନ ଜିଲ୍ଲା। ନୂଆଖାଇ ସାରିବା ପରେ ପରିବାର ସହ ଏକାଠି ନୂଆଁ ଖାଇବେ ପଶ୍ଚିମ ଓଡିଶାବାସୀ। ପରେ ଜୁହାରଭେଟ୍ ତାପରେ ନୂଆଖାଇ ଭେଟଘାଟରେ ଦୁଲୁକିବ ଗାଁଠୁ ସହର। ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ। ନୂଆଖାଇ ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ହେବ।

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି। ନୂଆଖାଇ ଉପଲକ୍ଷେ ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ନୂଆଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ମିଳିବ। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ ଉପକୃତ ହେବେ। ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଲେଖାଏଁ ଦିଆଯିବ। ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର ହେବ।

ଦୂରଦୂରାନ୍ତ ରହୁଥିବା ପରିବାର ଲୋକ ଗାଁକୁ ଫେରିଛନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବ। ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ନୂଆଖାଇ ପାଇଁ ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ନୂଆ ପୋଷାକ ପିନ୍ଧି ନବାନ୍ନ ଗ୍ରହଣ ସହ ବନ୍ଧୁ ପରିଜନଙ୍କୁ ଶୁଭ ମନାସିବେ ଶ୍ରଦ୍ଧାଳୁ। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ନୂଆଖାଇ ଭେଟଘାଟ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

Leave A Reply

Your email address will not be published.