Odisha Link
Bridging the Missing Links in Odisha

ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ୍‌ ଆତଙ୍କ, ସୁନ୍ଦରଗଡ଼ରେ ୨୫୦ ଜଣ ଆକ୍ରାନ୍ତ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ସ୍କ୍ରବ୍‌ ଟାଇଫସ୍‌। ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଆଜି ଆଉ ୬ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼ରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ, ବଲାଙ୍ଗିରରେ ୨ ମାସରେ ୩୩୭ ସ୍କ୍ରବ୍‌ ଟାଇଫସ୍‌ ଚିହ୍ନଟ ହୋଇଛନ୍ତି। ଏହି ମାସରେ ବର୍ତ୍ତମାନ ସୁଦ୍ଧା ୧୬୫ ଆକ୍ରାନ୍ତ ଚିହ୍ନଟ କରାଯାଇଅଛି। ଏନେଇ ଭାରପ୍ରାପ୍ତ ସିଡିଏମଓ ସୂଚନା ଦେଇଛନ୍ତି। ସେହିପରି ଏବେ ସ୍କ୍ରବ ଟାଇଫସ୍‌ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ରେ ଆଉ ୬ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ ହୋଇଥିବାବେଳେ ପଜିଟିଭ ସଂଖ୍ୟା ୨୫୦କୁ ବୃଦ୍ଧି ହୋଇଛି।

ବରଗଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡିବା ପରେ, ଆତଙ୍କିତ ହୋଇପଡିଛନ୍ତି ଲୋକେ। ଆହୁରି ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଜ୍ୱର ହେଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ସ୍କ୍ରବ ଟାଇଫସ୍ ରୋଗୀ ସଂଖ୍ୟା ବଢୁଥିବାରୁ ସତର୍କ ରହିବାକୁ ସିଡିଏମଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କ୍ରଵ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଯାଇ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ତଦନ୍ତ କରିଛନ୍ତି। ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି।

ସ୍କ୍ରବ ଟାଇଫସ୍‌ କ’ଣ?

ଚାଷ ଜମି ଓ ଜଙ୍ଗଲରେ ରହିଥାଏ ଲାର୍ଭା ମାଇଟ୍ସ ନାମକ ଏକ ପୋକ। ସେହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍‌ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ, ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ତା’ପରେ ଛୋଟିଆ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍‌ କୁହାଯାଇଥାଏ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋ‌ଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେ‌ଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।

ଉକ୍ତ ବିଷାକ୍ତ କୀଟ ଗାଁ ଗହଳି ତଥା ଚାଷବାସ କରୁଥିବା ଅଞ୍ଚଳରେ ବିଶେଷ ଭାବେ ରୁହନ୍ତି। ପ୍ରାୟ ପଡ଼ିଆରେ ଖେଳୁଥିବା ପିଲାମାନେ ଏବଂ ଚାଷୀମାନେ ଏହାର ଶିକାର ହେଉଥିବା ଜଣାଯାଇଛି। ଏହି କୀଟ କାମୁଡ଼ିବା ଦ୍ୱାରା ପ୍ରଥମେ ଜ୍ୱର ହୋଇଥାଏ ଏବଂ ମୁଣ୍ଡ, ହାତଗୋଡ ବ୍ୟଥା ହୋଇଥାଏ। ପରେ ଜ୍ୱର ଓ ମୁଣ୍ଡବ୍ୟଥା ବଢ଼ିବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ନଷ୍ଟ କରିଦେଇଥାଏ। ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ।

Leave A Reply

Your email address will not be published.