Odisha Link
Bridging the Missing Links in Odisha

ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ; ମାତ୍ର ୯ଟି ବଲରେ ବିଶ୍ବ ରେକର୍ଡ କଲେ ଦିପେନ୍ଦ୍ର

ଓଏଲ୍‌ ବ୍ୟୁରୋ: ଚୀନରେ ଚାଲିଥିବା ଏସିଆନ୍‌ ଗେମ୍ସରେ ବିଶ୍ବ ରେକର୍ଡ କଲା ନେପାଳ କ୍ରିକେଟ ଟିମ୍। କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କଲା ନେପାଳ। ନେପାଳ କ୍ରିକେଟ ଟିମ୍‌ର ଦୁଇ ଜଣ ଖେଳାଳି କଲେ ୫ ବିଶ୍ବ ରେକର୍ଡ। ଏଥିସହିତ ନେପାଳ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ସର୍ବାଧିକ ସ୍କୋର କରି ବିଶ୍ବ ରେକର୍ଡ କରିଛି। ଏଥିସହିତ ଟି-୨୦ କ୍ରିକେଟରେ ଦ୍ରୁତ ଶତକ ଓ ଦ୍ରୁତ ଅର୍ଦ୍ଧଶତକ ସହିତ ସର୍ବାଧିକ ଛକା ମାରିବାର ରେକର୍ଡ ଦେଖିବାକୁ ମିଳିଛି ନେପାଳ-ମାଙ୍ଗୋଲିଆ ମ୍ୟାଚରେ।

ଆଜି ଏସିଆନ୍‌ ଗେମ୍ସରେ ନେପାଳ ଓ ମାଙ୍ଗୋଲିଆ ମଧ୍ୟରେ ଲିଗ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ନେପାଳ ଟି-୨୦ କ୍ରିକେଟରେ ସବୁଠୁ ବଡ଼ ସ୍କୋର ୩୧୪/ ୩ କରିଛି। ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ୩୦୦ରୁ ଉର୍ଦ୍ଧ୍ବ ସ୍କୋର କରିଛି କୌଣସି ଦଳ। ଏହାସହିତ ୨୭୩ ରନ୍‌ ଅନ୍ତର ବ୍ୟବଧାନରେ ଜିତିଛି ନେପାଳ ଦଳ। ମାଙ୍ଗୋଲିଆ ଟିମ୍‌ ମାତ୍ର ୪୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଯାହାଫଳରେ ନେପାଳ ବୃହତ ବିଜୟ ହାସଲ କରିଥିଲା। ଏଥିସହିତ ୫ଟି ବିଶ୍ବ ରେକର୍ଡ କରିଛନ୍ତି ନେପାଳ କ୍ରିକେଟର।

ଭାଙ୍ଗିଲା ଯୁବରାଜ ସିଂହଙ୍କ ରେକର୍ଡ:
ନେପାଳ ପକ୍ଷରୁ କୁଶଲ ମାଲା ୫୦ଟି ବଲରୁ ୧୨ଟି ଛକା ଏବଂ ୮ଟି ଚୌକା ସହାୟତାରେ ୧୩୭ ରନର ଇନିଂସ ଖେଳିଥିଲେ। ସେହିପରି ଅଧିନାୟକ ରୋହିତ ପୌଡେଲ ୨୭ ବଲରୁ ୬ ଛକା ଏବଂ ୨ଟି ଚୌକା ସହ ୬୧ ରନ୍ କରିଥିଲେ। ହେଲେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଦିପେନ୍ଦ୍ର ସିଂହଙ୍କ ଇନିଂସକୁ ନେଇ। ମାତ୍ର ୯ଟି ବଲରୁ ଅର୍ଦ୍ଧଶତକ ହାସଲ କରି ଭାରତର ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି। ୧୦ଟି ବଲରୁ ୫୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଯେଉଁଥିରେ ରହିଛି ୮ଟି ଛକା ରହିଛି। ପ୍ରଥମେ ସେ ୬ଟି ବଲରୁ ୬ଟି ଛକା ମାରିଥିଲେ। ପରେ ଏକ ଦୁଇ ରନ୍ ଏବଂ ପରେ ଆଉ ୨ଟି ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ଭାରତର ଯୁବରାଜ ସିଂହ ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ମିଲର ଓ ରୋହିତଙ୍କ ରେକର୍ଡ ଭାଙ୍ଗିଲେ ମାଲା:
ସେହିପରି କୁଶଲ ମାଲା ବି ୩୪ ବଲରୁ ଶତକ ହାସଲ କରିଛନ୍ତି। ଯାହା ଟି-୨୦ରେ ଦ୍ରୁତତମ ଶତକ। ଭାରତର ରୋହିତ ଶର୍ମା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ସେ। ଉଭୟେ ୩୫ ବଲରୁ ଶତକ ହାସଲ କରିଥିଲେ।

ପୂର୍ବରୁ ଟି-୨୦ରେ ସର୍ବାଧିକ ସ୍କୋର ଆଫଗାନିସ୍ତାନ ନାଁରେ ରହିଥିଲା। ଆୟାରଲାଣ୍ଡ ବିପକ୍ଷରେ ୩ ୱିକେଟ ହରାଇ କରିଥିଲା ୨୭୩ ରନ୍। ଏବେ ଟି-୨୦ କ୍ରିକେଟରେ ସର୍ବାଧିକ ସ୍କୋର ମାମଲାରେ ନେପାଳ ଆଗରେ ରହିଛି। ଏସବୁ ବ୍ୟତୀତ ଏହି ମ୍ୟାଚରେ ନେପାଳ ୨୬ଟି ଛକା ମାରି ରେକର୍ଡ କରିଛି । କେବଳ ସେତିକି ନୁହେଁ, ଟି-୨୦ରେ ୨୭୩ ରନର ବିଜୟ ହେଉଛି ସର୍ବାଧିକ ବ୍ୟବଧାନରେ ବିଜୟ ହାସଲ କରିଛି ନେପାଳ।

Leave A Reply

Your email address will not be published.