Odisha Link
Bridging the Missing Links in Odisha

୫ ରାଜ୍ୟର ୬୭୯ ଆସନରେ ହେବ ନିର୍ବାଚନ; ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି

ଓଏଲ୍ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଦିଲ୍ଲୀରେ ପ୍ରେସ୍‌ କନ୍‌ଫରେନ୍ସ କରି ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରେ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶ ପାଇଁ ବିଜେପି ୫୭ ଜଣିଆ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନ ପାଇଁ ୪୧ ଓ ଛତିଶଗଡ଼ ପାଇଁ ୬୪ ଜଣ ପ୍ରାର୍ଥୀ ଘୋଷଣା କରିଛି।

ସୂଚନା ଅନୁସାରେ, ମିଜୋରାମ, ଛତିଶଗଡ଼, ଏମ୍‌ପି, ରାଜସ୍ଥାନ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମିଜୋରାମରେ ନଭେମ୍ବର ୭ରେ ଭୋଟ ଗ୍ରହଣ କରାଯିବ। ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ରେ ଏବଂ ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ। ସେହିଭଳି ରାଜସ୍ଥାନରେ ନଭେମ୍ବର ୨୩ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ କରାଯିବ। ତେବେ ଡିସେମ୍ବର ୩ ତାରିଖରେ ଏହି ୫ ରାଜ୍ୟ ବିଧାନସଭା ଭୋଟ ଗଣତି ହେବ। କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଅନ୍ୟ ସମସ୍ତ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ୫ ରାଜ୍ୟର ୬୭୯ ଆସନରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.