Odisha Link
Bridging the Missing Links in Odisha

ଅଚିହ୍ନା ରହିଗଲା ୨୮ ମୃତଦେହ, ୨ ଦିନ ଭିତରେ କରାଯିବ ଅନ୍ତିମ ସଂସ୍କାର!

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ୪ ମାସ ପୂରି ସାରିଛି। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୮ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି। ତେବେ ଦୁର୍ଘଟଣାର ଏତେ ଦିନ ପରେ ବି ମୃତଦେହର ପରିଚୟ ନ ମିଳିବା ଚିନ୍ତାର ବିଷୟ ପାଲଟିଛି।

ଟ୍ରେନ୍‌ ଟ୍ରାଜେଡିର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା କରାଯିବ। ଏନଏଚଆରସି ଗାଇଡଲାଇନରେ ହେବ ଅଚିହ୍ନା ୨୮ ମୃତଦେହର ସତ୍କାର କରାଯିବ। ୨ ଦିନ ଭିତରେ ପ୍ରକ୍ରିୟା ହେବା ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଶବ ହସ୍ତାନ୍ତର ଓ ସତ୍କାର ସମୟରେ ସିବିଆଇ ଉପସ୍ଥିତ ରହିବ। ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଥମେ ସିବିଆଇ ପକ୍ଷରୁ ଚିଠି ଆସିଥିଲ।

ଚିଠି ପାଇବା ପରେ ଜିଲ୍ଲାପାଳ ଶବଦାହ ପାଇଁ ବିଏମସିକୁ କହିଥିଲେ। ୨ ଦିନ ଭିତରେ ସିବିଆଇ ଟିମ୍ ଆସିଲେ ଦାହ ପ୍ରକ୍ରିୟା କରାଯିବ ବୋଲି କମିଶନର୍ କହିଛନ୍ତି। ଭରତପୁର, ସତ୍ୟନଗର ଶ୍ମଶାନରେ ପାରମ୍ପରିକ କାଠରେ ଶବ ଦାହ ହେବ।

ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ସବୁ ସରକାରୀ ନିୟମ ଅନୁପାଳନ ସତ୍କାର ପାଇଁ ଆଲୋଚନା ଚାଲିଛି। ଏହା ଭିତରେ ବି ଯଦି କେହି ସମ୍ପର୍କୀୟ ଆସିବେ ମୃତଦେହ ଦିଆଯିବ। ମୃତଦେହ ଫ୍ରିଜରେ ରହିବା ୩/୪ ମାସ ହେଲାଣି, ଅଧିକ ରହିପାରିବନି।

ସୂଚନାଥାଉକି, ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଲୋପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍‌ ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍‌ ଉପରେ ପଡ଼ିଥିଲା। ଯାହାଫଳରେ ୨୯୪ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.