Odisha Link
Bridging the Missing Links in Odisha

ଗଙ୍ଗା ଜଳରେ ୧୮ ପ୍ରତିଶତ ଜିଏସ୍‌ଟି; ତେଜିଲା ରାଜନୀତି

ଓଏଲ୍‌ ବ୍ୟୁରୋ: ହିନ୍ଦୁଧର୍ମ ଓ ପରମ୍ପରାର ଏକ ପ୍ରତୀକ ଗଙ୍ଗା ଜଳ। ତେବେ ଏହି ଗଙ୍ଗା ଜଳରେ ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୪ ଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ତେଜିଲା ରାଜନୀତି। ଶାସକ ଦଳ ବିଜେପି ହିନ୍ଦୁଧର୍ମ ଓ ପରମ୍ପରାର ସୁରକ୍ଷାକୁ ନେଇ ରାଜନୀତି କରି ଆସୁଛି। ଏପରି ସ୍ଥିତିରେ ଗଙ୍ଗାଜଳରେ ଜିଏସଟି ଲଗାଇବାକୁ ନେଇ ବିରୋଧୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଗତ ଶନିବାର ୫୨ତମ ଜିଏସ୍‌ଟି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେ କୌଣସି କର୍ମକର୍ମାଣୀ, ଯଜ୍ଞରେ ଗଙ୍ଗାଜଳର ପ୍ରଥମ ଆବଶ୍ୟକତା ଥାଏ। ଏହାଚଡ଼ା ପିତୃପକ୍ଷ ଶ୍ରାଦ୍ଧରେ ଗଙ୍ଗା ଜଳର ଆବଶ୍ୟକତା ରହିଥାଏ। ଚଳିତ ୧୫ ତାରିଖରୁ ମା’ ଦୁର୍ଗାଙ୍କର ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ମଧ୍ୟ ଗଙ୍ଗାଜଳ ଜରୁରୀ। ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି, ହିନ୍ଦୁମାନଙ୍କର ଆସ୍ଥା ଓ ବିଶ୍ୱାସକୁ ପୁଞ୍ଜିକରି ରାଜନୀତି କରୁଥିବା ବିଜେପି ସରକାର ଗଙ୍ଗାଜଳ ବିକ୍ରି ଉପରେ ୧୮% ଜିଏସ୍‌ଟି ଲାଗୁ କରି କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ସହ ଖେଳ ଖେଳିଛି।

ଅନ୍ୟପଟେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଗଙ୍ଗାଜଳରେ ୧୮ ପ୍ରତିଶତ ଜିଏସଟି ଲଗାଇବା ପରେ ନକଲି ରାମଭକ୍ତଙ୍କ ମିଛ ଚେହେରା ଉପରୁ ପରଦା ହଟିଛି ବୋଲି ସେ କହିଛନ୍ତି। ଗଙ୍ଗା ହେଉଛନ୍ତି ମା’। ତାର ଜଳ ପବିତ୍ରତାର ପ୍ରତୀକ। ଗଙ୍ଗାରେ ସ୍ନାନ କଲେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତ ହୁଏ। ପ୍ରତି ଘରେ ଗଙ୍ଗା ଜଳ ରଖି ପୂଜାର୍ଚ୍ଚନା କରାଯାଏ। ଏପରି ସ୍ଥିତିରେ ଗଙ୍ଗାଜଳରେ କେନ୍ଦ୍ର ସରକାର ଜିଏସଟି ଲଗାଇବାକୁ ବିରୋଧୀ ସହଜରେ ଗ୍ରହଣ କରିପାରି ନାହାନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ସରକାର ୨୦୧୬ ମସିହାରେ ଆପଣଙ୍କ ଦ୍ୱାରେ ଗଙ୍ଗାଜଳ ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଖାଣ୍ଟି ଗଙ୍ଗା ଜଳକୁ ସହଜରେ ଲୋକଙ୍କ ନିକଟରେ ଉପଲବ୍ଧ କରାଇବା ଏବଂ ଡାକଘରର ଆୟ ବୃଦ୍ଧି କରିବା। ଆରମ୍ଭରେ ଋଷିକେଶ ଏବଂ ଗଙ୍ଗୋତ୍ରିରୁ ଆସୁଥିବା ୨୦୦ ଏବଂ ୫୦୦ ମିଲିଲିଟର ଗଙ୍ଗା ଜଳର ମୂଲ୍ୟ ଯଥାକ୍ରମେ ୨୮ ଏବଂ ୩୮ ଟଙ୍କା ଥିଲା। ଏବେ ଡାକ ବିଭାଗ ପକ୍ଷରୁ ଗାଙ୍ଗୋତ୍ରିର ୨୫୦ ମିଲିଲିଟର ବୋତଲ ଗଙ୍ଗା ପାଣି ୩୦ ଟଙ୍କା ହୋଇଛି। କିନ୍ତୁ ଏବେ ସରକାର ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି ଯେଉଁଥିପାଇଁ ଏହାର ମୂଲ୍ୟ ୩୫ ଟଙ୍କା ହୋଇଛି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

Leave A Reply

Your email address will not be published.