Odisha Link
Bridging the Missing Links in Odisha

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ଆଜି ଆଉ ୨ ଜିଲ୍ଲାରେ ହେବ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଭଦ୍ରକରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଆଉ ଦୁଇ ଜିଲ୍ଲାରେ ଆରମ୍ଭ କରାଯିବ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ପ୍ରଥମେ କେନ୍ଦୁଝର ଓ ଭଦ୍ରକରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ବ୍ଲକ ଓ ଜିଲ୍ଲାସ୍ତରରେ ବି ଏହି ଯୋଜନା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗତ ଜୁଲାଇ ୧୦ ତାରିଖରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୪ହଜାର କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଡିଜିଟାଲ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯିବ। ସାରା ରାଜ୍ୟରେ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ସଂସ୍କୃତିର ସୁରକ୍ଷା ସହ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ ହେବା ନେଇ ଏହାର ଲକ୍ଷ ଧାର୍ଯ୍ୟ କରାଯାଇଛି।

ପୁରୀ ଓ ନୟାଗଡ଼ରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା। ପୁରୀ ଜିଲ୍ଲାରେ ୧୩୪ କୋଟି ଟଙ୍କାରେ ୪ ହଜାର ୧୩୦ଟି ପ୍ରକଳ୍ପ ଏବଂ ନୟାଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬ କୋଟି ଟଙ୍କାରେ ୨ହଜାର ୯୨୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ। ଯୋଜନା ମାଧ୍ୟମରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟରେ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

Leave A Reply

Your email address will not be published.