Odisha Link
Bridging the Missing Links in Odisha

୭ମ ପେନ୍‌ ଇନ୍‌ ବୁକ୍ସ ଯୁବଲେଖକ ପୁରସ୍କାର; ୧୦ଜଣ ପ୍ରତିଭା ପୁରସ୍କୃତ

ମୌଳିକତାର ବିକଳ୍ପ ନାହିଁ: ଡ. ହୃଷୀକେଶ ମଲ୍ଲିକ

ଭୁବନେଶ୍ବର: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବେ କବିତା ଲେଖିପାରୁଛି, ସାହିତ୍ୟ ରଚନା କରିପାରୁଛି। କିନ୍ତୁ ମୌଳିକତାର ବିକଳ୍ପ ନାହିଁ। ମଣିଷର ଚେତନାର ବିକଳ୍ପ ଭାବେ କେବେ ବି ଯନ୍ତ୍ର ଠିଆହୋଇ ପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ। ୭ମ ପେନ୍‌ ଇନ୍‌ ବୁକ୍ସ ଯୁବଲେଖକ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ମଲ୍ଲିକ କହିଥିଲେ ଯେ ସମ୍ଭାବନା, ଜିଜ୍ଞାସା ଓ ଆଶା ବଳବତ୍ତର ଥିବାଯାଏଁ ମଣିଷ ଭିତରୁ ସୃଜନଶୀଳତା ଲୋପପାଇବ ନାହିଁ। ଯୁବଲେଖକମାନେ ପୁରସ୍କାର ବା ପ୍ରସିଦ୍ଧି ପଛରେ ନଗୋଡ଼ାଇ ନିଜର ସୃଜନକୁ ଅଧିକ ଗୁରୁତ୍ବ ଦେବାକୁ ସେ ଉପଦେଶ ଦେଇଥିଲେ।

ସ୍ଥାନୀୟ ଶୀତଳ ହୋଟେଲ ସଭାକକ୍ଷରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ସମ୍ମାନଜନକ ଯୁବଲେଖକ ପୁରସ୍କାର ୨୦୨୩ ବିତରଣ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ କଥାଶିଳ୍ପୀ ଭୀମ ପୃଷ୍ଟି ଯୁବଲେଖକମାନଙ୍କୁ ଶୁଭାଚ୍ଛା ଜ୍ଞାପନ କରିଥିଲେ। ୪୦ ବର୍ଷ ତଳର ଓଡ଼ିଆ ପ୍ରକାଶନ ଶିଳ୍ପର ସ୍ଥିତି ମନେପକାଇ ଶ୍ରୀ ପୃଷ୍ଟି କହିଥିଲେ ଯେ ସେତେବେଳେ ଯୁବଲେଖକମାନଙ୍କ ପାଇଁ ପ୍ରକାଶିତ ହେବାର ସୁଯୋଗ ଆଦୌ ନଥିଲା। ନୂଆଲେଖକମାନଙ୍କୁ ପୁରସ୍କୃତ ଓ ପ୍ରକାଶିତ କରି ପେନ୍‌ ଇନ୍‌ ବୁକ୍ସ ଏକ ଅଭିନବ ଓ ଉଦାହରଣୀୟ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ। କାହାଣୀ ଓ କବିତାରେ କଳ୍ପନା ଅପେକ୍ଷା ବାସ୍ତବତାକୁ ଅଧିକ ଗୁରୁତ୍ବ ଦେବାକୁ ସେ ଯୁବଲେଖକମାନଙ୍କୁ ଆହ୍ବାନ କରିଥିଲେ।

ଉତ୍ସବରେ ଅଧ୍ୟକ୍ଷତା କରି କଥାଶିଳ୍ପୀ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ ବିନମ୍ରତା ଓ ଧୈର୍ଯ୍ୟ ଜଣେ ଲେଖକର ସବୁଠୁ ବଡ଼ ଅଳଙ୍କାର। ପ୍ରସିଦ୍ଧି ପାଇଁ ଆତୁରତା ଓ ପ୍ରକାଶନର ମୋହ ସୃଜନଶୀଳତାକୁ ମାରିଦିଏ ବୋଲି ସେ କହିଥିଲେ। ଏ ପୁରସ୍କାରକୁ ପ୍ରାପ୍ୟ ନଭାବି ଏକ ପ୍ରେରଣା ଭାବରେ ଗ୍ରହଣ କରି ଲେଖାଲେଖି ପ୍ରତି ଅଧିକ ଅନୁରକ୍ତ ହେବାକୁ ସେ ଯୁବଲେଖକମାନଙ୍କୁ ଆହ୍ବାନ ଦେଇଥିଲେ।

ଚଳିତ ବର୍ଷ ପୁରସ୍କାରର ଏହି ୭ମ ସଂସ୍କରଣରେ ୪୦ ବର୍ଷରୁ କମ ବୟସର ୧୦ ଜଣ ଲେଖକ ପୁରସ୍କୃତ ହୋଇଥିଲେ। ଗଳ୍ପ ପାଣ୍ଡୁଲିପି ‘ମୁଖା ମଣିଷ’ ପାଇଁ ମମତାରାଣୀ ଦାଶ, ଉପନ୍ୟାସ ପାଣ୍ଡୁଲିପି ‘ପ୍ରଣୟିନୀ’ ପାଇଁ ସନ୍ତୋଷ କୁମାର ସାହୁ, ଉପନ୍ୟାସ ପାଣ୍ଡୁଲିପି ‘ଶେଷହୀନ ଜିଜ୍ଞାସା’ ପାଇଁ ପ୍ରିୟଦର୍ଶିନୀ ପୂରବୀ ମହାନ୍ତି, ଇଂରାଜୀ ଗଳ୍ପ ପାଣ୍ଡୁଲିପି ‘ମୋମେଣ୍ଟସ୍’ ପାଇଁ ଅଭୀପ୍ସା ମହାନ୍ତି, କବିତା ପାଣ୍ଡୁଲିପି ‘ସାଉଁଟା ଫୁଲ’ ପାଇଁ ସୋମି ଧର, କବିତା ପାଣ୍ଡୁଲିପି ‘ଈଶ୍ବରଙ୍କ ସହ ଦିନେ’ ପାଇଁ ପ୍ରଜ୍ଞା ପାରମିତା ମହାନ୍ତି, କବିତା ପାଣ୍ଡୁଲିପି ‘ଉଛୁର ବିଜନେ’ ପାଇଁ ପ୍ରତୀଚୀ ନନ୍ଦ, କବିତା ପାଣ୍ଡୁଲିପି ‘ଚିତ୍ରଲେଖା ଓ ଅନ୍ୟାନ୍ୟ କବିତା’ ପାଇଁ ରଶ୍ମିରେଖା ଦାସ, କବିତା ପାଣ୍ଡୁଲିପି ‘ସଳିତା’ ପାଇଁ ପ୍ରୀତିକ୍ରିଷ୍ଣା ସାହୁ ଓ କାବ୍ୟ ଉପନ୍ୟାସ ପାଣ୍ଡୁଲିପି ‘ହ୍ୟାସ୍‌‌ଟାଗ୍‌ ଜୀବନ’ ପାଇଁ ସାଗରିକା ନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ୧୦ଜଣ ପୁରସ୍କୃତ ପ୍ରତିଭାଙ୍କ ପାଣ୍ଡୁଲିପି ୨୦୨୪ ମସିହାରେ ହେବାକୁ ଥିବା ୮ମ ସଂସ୍କରଣ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁସ୍ତକ ଆକାରରେ ପ୍ରକାଶ ଲାଭ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଅନୁରୂପ ଭାବେ ୨୦୨୨ ମସିହା ୬ଷ୍ଠ ସଂସ୍କରଣ ପେନ୍‌ ଇନ୍‌ ବୁକ୍ସ ଯୁବଲେଖକ ପୁରସ୍କାର ପାଇଥିବା ୧୦ ପାଣ୍ଡୁଲିପି ଆଜିର ଉତ୍ସବରେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା। ସେଗୁଡ଼ିକ ହେଲା ଅଳଙ୍କାର ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଯୁଯୁତ୍ସା’, ସୋନାଲି ଗଡ଼ନାୟକ ଉପନ୍ୟାସ ‘ନିରବତା’, ବିଭୁ ହୋତାଙ୍କ ଉପନ୍ୟାସ ‘ନହକା ଆକାଶ’, ଭୁବନେଶ୍ବରୀ ପଣ୍ଡାଙ୍କ ଗଳ୍ପ ସଂକଳନ ‘ଜୀବନର ଚଉହଦି’, ନିଖିଳେଶ ମିଶ୍ରଙ୍କ ପ୍ରବନ୍ଧ ସଂକଳନ ‘ବାଧିଲା ଜାଣି କ୍ଷମା’, ରୂପେଶ ସାହୁଙ୍କ କବିତା ସଂକଳନ ‘ଗୃହବନ୍ଦୀରେ ଈଶ୍ବର’, ବିନୟ ଭୂଷଣ ମହାପାତ୍ରଙ୍କ ଗୀତିକବିତା ସଂକଳନ ‘ସୂଚୀପତ୍ର’, ସ୍ମୃତିଲଗ୍ନା ନନ୍ଦଙ୍କ ଗଳ୍ପ ସଂକଳନ ‘ଆକାଶର ସହଯାତ୍ରା’, ଦେବାଶିଷ ପଣ୍ଡାଙ୍କ ଉପନ୍ୟାସ ‘ମୁକ୍ତା’, ସ୍ବୟଂସମ୍ପନ୍ନା କରଙ୍କ କବିତା ସଂକଳନ ‘ରମାଦେବୀରେ ବର୍ଷା’।

ଉତ୍ସବରେ ଜଣାଶୁଣା ବ୍ୟଙ୍ଗକବି ଡ. କୁଳାଙ୍ଗାର ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ କଥାଶିଳ୍ପୀ ତାପସ ରାଉତ।

Leave A Reply

Your email address will not be published.