Odisha Link
Bridging the Missing Links in Odisha

ସଂସଦର ଶୀତ ଅଧିବେଶନ: ପୁଣି କେନ୍ଦୁପତ୍ରକୁ ନେଇ ଦାବି ଉଠାଇଲେ ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ସଂସଦର ପ୍ରଥମ ଦିନରେ ଦିନ ୧୨ଟା ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ ରଖାଯାଇଛି।

ସଂସଦର ଶୀତ ଅଧିବେଶନରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶା ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଏସବୁ ଦାବି ଦୀର୍ଘ ଦିନ ଧରି ପଡିରହିଛି। ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଭାଷାକୁ ସାମିଲ କରିବା ନେଇ ବାରମ୍ବାର ଦାବି ହେଉଛି। ସେହିପରି ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ୧୬୯ ସଂପ୍ରଦାୟକୁ ସାମିଲ କରିବାକୁ ବି ଦାବି ହେଉଛି।

ଏହା ସହ ସଂସଦରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ଦାବି ଉଠିଛି। କେନ୍ଦୁପତ୍ର ଉପରେ ଅଧିକାଂଶ ଆଦିବାସୀ ପରିବାର ନିର୍ଭରଶୀଳ ଥିବା ବେଳେ ୧୮ପ୍ରତିଶତ ଜିଏସଟି ହଟାଇବା ପୁଣିଥରେ କେନ୍ଦ୍ର ଆଗରେ ଦାବି ରଖିଛି ବିଜେଡି। ଏନେଇ ସଂସଦରେ ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ସୂଚନା ଅନୁସାରେ, ସଂସଦର ଶୀତ ଅଧିବେଶନ ପୂର୍ବରୁ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ସାଧାରଣତଃ ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ। ଚଳିତ ଶୀତ ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.