Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି କରୋନା; ଆବଶ୍ୟକ ହେଲେ ରାଜ୍ୟରେ ଜାରି ହେବ ଗାଇଡଲାଇନ

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍‌ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥିବା ବେଳେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ସତର୍କ ସୂଚନା। ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ଓ ଏହାକୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡ଼ିକୁ କୁହାଯାଇଛି।

ସେହିପରି କରୋନାର ନୂଆ ଭାରିଆଣ୍ଟ ପରେ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କେରଳ ଓ କର୍ଣ୍ଣାଟକରୁ ଚିହ୍ନଟ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି। ଆବଶ୍ୟକ ପଡ଼ିଲେ, ରାଜ୍ୟରେ ଜାରି ହେବ ଗାଇଡଲାଇନ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ନାହିଁ ନୂଆ ଭାରିଆଣ୍ଟ JN.1। ଯେଉଁ ଭାରିଆଣ୍ଟ କଥା କୁହାଯାଉଛି ତାହା ନାଚୁରାଲ। ଯଦି ଚିହ୍ନଟ ହୁଏ, ଜିନୋମ ସିକ୍ବେନ୍ସ୍ସିଂ ପାଇଁ ପଠାଇବୁ। ଥଣ୍ଡା, ଜ୍ବର ଲାଗ ରହିଲେ ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯିବ।

ଅନ୍ୟପଟେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷଣୁ କୁହାଯାଇଛି ଯେ ବର୍ତ୍ତମାନ କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। ଏହାର ଏପିଡେମୋଲୋଜି ବ୍ୟବହାର ଭାରତୀୟ ପରିବେଶରେ ରହିଛି। ତେଣୁ କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର।

ଆହୁରି କୁହାଯାଇଛି ଯେ, ଆଗକୁ ନୂଆବର୍ଷ ଆସୁଛି। ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଆସିବାକୁ ଯାଉଛି। ଏହାକୁ ନଜରରେ ରଖି ଅଧିକ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ। ହାଇଜନ୍‌ ନିୟମକୁ କଡ଼ା କଡ଼ି ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିସହିତ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଇଞ୍ଜଫ୍ଲୁଏଞ୍ଜା ରୋଗର ଯାଞ୍ଚ ଓ ରିପୋର୍ଟ କରିବାକୁ କହିଛନ୍ତି। ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି।

୨୪ ଘଣ୍ଟାରେ ୩୩୫ ମାମଲା:
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୫ଟି କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହିତ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର କେରଳରେ କରୋନା ମାମଲା ସର୍ବାଧିକ ବୃଦ୍ଧି ପାଇଛି। ଏଥିପାଇଁ ମଧ୍ୟ ଗାଇଡଲାଇନ୍‌ ଜାରି କରିଛନ୍ତି କେରଳ ସରକାର। କରୋନା ପାଇଁ କର୍ଣ୍ଣାଟକରେ ଆଲର୍ଟ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.