Odisha Link
Bridging the Missing Links in Odisha

ଧାମନଗରରୁ ପାଣ୍ଡିଆନଙ୍କ ନିଶାନା, ବିରୋଧୀଙ୍କ ନାଁ ନନେଇ କଲେ ଟାର୍ଗେଟ

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନଜରରେ ମିଶନ୍‌ ୨୦୨୪। ୬ଷ୍ଠ ଥର ପାଇଁ ସିଂହାସନରେ ବସିବା ପାଇଁ ଆରମ୍ଭ କଲାଣି କସରତ। ଆଉ ଏହାର ମଙ୍ଗ ଧରିଛନ୍ତି ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବିକାଶର ସମୀକ୍ଷା କରୁଛନ୍ତି। ଯାହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ନିକଟରେ ସରକାରୀ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ଶ୍ରୀ ପାଣ୍ଡିଆନ୍‌ ବିରୋଧିଙ୍କୁ ସିଧାସଳଖ କରୁଛନ୍ତି ଟାର୍ଗେଟ।

ଆଜି ଭଦ୍ରକ ଗସ୍ତରେ ଯାଇ ପାଣ୍ଡିଆନ୍‌ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି। ଧାମନଗରରେ କାହା ନାଁ ନ ନେଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଫାଇଭ-ଟି ଅଧ୍ୟକ୍ଷ। ସେ କହିଛନ୍ତି,ଧାମନଗର ଉପନିର୍ବାଚନ ବେଳେ ଯେଉଁମାନେ ୫-୫ ଥର ଆସିଥିଲେ। ଗାଁ ଗାଁରେ ବୁଲି ଲୋକଙ୍କୁ ଭେଟିଥିଲେ। ଆପଣଙ୍କୁ ଶହେ ଦୁଇଶହ ପ୍ରତିଶ୍ରୃତି ଦେଇଥିଲେ। କିନ୍ତୁ ଉପନିର୍ବାଚନ ସରିବାର ବର୍ଷେରୁ ଅଧିକ ଦିନ ହେଲାଣି। କିନ୍ତୁ ଧନ୍ୟବାଦ ଦେବା ପାଇଁ ପ୍ରଚାରର ମଙ୍ଗ ଧରିଥିବା ବ୍ୟକ୍ତି ଆସିଲେ ନାହିଁ।

ସେହିପରି ସେ ଆହୁରି କହିଛନ୍ତି ଯେ ଉପନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାହା ପାଳନ କଲେ ନାହିଁ। ସଂପୃକ୍ତ ବ୍ୟକ୍ତି ଶହେ ଥର ଓଡ଼ିଶା ଆସିଲେଣି, କିନ୍ତୁ ଧାମନଗରକୁ ଭୁଲିଗଲେ। ଏହା ହେଉଛି ଭୋଟ୍ ରାଜନୀତି କରୁଥିବା ଲୋକଙ୍କ ପ୍ରକୃତ ଚେହେରା। କିନ୍ତୁ ମୁଖ୍ୟମନ୍ତ୍ରୀ ଧାମନଗରକୁ ଭୁଲିନାହାନ୍ତି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ।

ଭି.କେ.ପାଣ୍ଡିଆନ ଆଜି ଭଦ୍ରକ ଗସ୍ତରେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଚାନ୍ଦବାଲି ଆସି ଆରଡିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଥିଲେ। ଆରଡିରେ ବାବା ଆଖଣ୍ଡଳମଣିଙ୍କ ୨ୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହାସହ ଧାନଖଣିଆ ସାଳନ୍ଦୀ ନଦୀଘାଟରେ ସେତୁ ନିର୍ମାଣ ପାଇଁ ୮୦ କୋଟି ଟଙ୍କା ମଂଜୁର ହୋଇଛି। ସେହିଭଳି ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲ୍ଲାରେ ଲକ୍ଷ୍ମୀବସ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଭି.କେ. ପାଣ୍ଡିଆନ।

Leave A Reply

Your email address will not be published.