ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ; ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ଦେଖିବାକୁ ମିଳୁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ଓଡିଶା ଆସିବା ନେଇ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଥିଲେ।
ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ସଚିବ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ପ୍ରଶାସନିକ ପ୍ରସ୍ତୁତି, ସୁରକ୍ଷାର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ହେଲିକପ୍ଟରରେ ଚଣ୍ଡିଖୋଲ ଯାତ୍ରା କରି କାର୍ଯ୍ୟକ୍ରମରେ ଭାଗ ନେବେ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।
ଏକ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ସନ୍ଧ୍ୟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ଦିଲ୍ଲୀ ଫେରିଯିବାର ସୂଚନା ରହିଛି। ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାସହ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।