Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୪: ଜଣଙ୍କ ପରେ ଜଣେ ଖେଳାଳି ଓହରୁଛନ୍ତି, ଲମ୍ବୁଛି ତାଲିକା

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ୭ ଦିନର ଅପେକ୍ଷା। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪। ଏଥିପାଇଁ ୧୦ଟି ଯାକ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ଟାଇଟଲ୍‌ ହାସଲ କରିବା ପାଇଁ ୧୦ଟି ଦଳ ମଧ୍ୟରେ କଡ଼ା ଟକ୍କର। ଏସବୁ ମଧ୍ୟରେ ଚଳିତ ଆଇପିଏଲ୍‌ ସିଜିନରେ ଏକାଧିକ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ହ୍ୟାରୀ ବ୍ରୁକ ଯୋଡ଼ି ହୋଇ ଯାଇଛନ୍ତି।

ବ୍ୟକ୍ତିଗତ କାରଣ ଦର୍ଶାଇ ହ୍ୟାରୀ ଆଇପିଏଲରୁ ଓହରି ଯାଇଛନ୍ତି। ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ହ୍ୟାରୀ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ଆଇପିଏଲ ନିଲାମ ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଥିଲା। ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ହେଲେ ଦଳ ତାଙ୍କୁ ନିଲାମ ପୂର୍ବରୁ ରିଲିଜ କରି ଦେଇଥିଲା।

ହ୍ୟାରୀ ବ୍ରୁକଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଓପନର ଡେଭୋନ କନୱେ ଆହତ ସମସ୍ୟା ଯୋଗୁ ଆଇପିଏଲରୁ ବାଦ ପଡ଼ିଥିଲେ। ସେହିପରି ଆହତ କାରଣରୁ ଗୁଜରାଟ ଟାଇଟନ୍ସର ଷ୍ଟାର ଖେଳାଳି ମହମ୍ମଦ ଶାମି ମଧ୍ୟ ଆଇପିଏଲ୍‌ ଖେଳିବେ ନାହିଁ। ଗୋଇଠି ସମସ୍ୟା ଯୋଗୁ ଶାମିଙ୍କ ସର୍ଜରୀ ହୋଇଛି। ସେ ଫିଟ ହେବାକୁ ବେଶ କିଛି ସମୟ ଲାଗିବ।

କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି ଜେସନ ରୟ ଓ ଗସ ଅଟକିନସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ପୂର୍ବବର୍ଷ ମଧ୍ୟ ଜେସନ ରୟ ସମାନ ପଦକ୍ଷେପ ନେଇଥିଲେ। ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆର ଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି। ରାଜସ୍ଥାନ ରୟାଲ୍ସର ପ୍ରମୁଖ ସଦସ୍ୟ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେ ନାହିଁ।

Leave A Reply

Your email address will not be published.