Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ବୃଦ୍ଧି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟପଟେ, ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ମେୟରଙ୍କ ଦରମା ୫୦ ହଜାରକୁ ବୃଦ୍ଧି ପାଇଛି। ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ହୋଇଛି। ପୌରପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା। ଏହା ସହ ଏନଏସି ଅଧ୍ୟକ୍ଷଙ୍କ ଦରମା ୧୦ ହଜାର, ଉପାଧ୍ୟକ୍ଷ ପାଇବେ ୭,୫୦୦।

ସେହିଭଳି ଦୁଇଗୁଣ ବଢ଼ିଲା ‘ମମତା’ ସହାୟତା। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ଯାହା ଆଜି ବେଶ ଲୋକପ୍ରିୟ ଯୋଜନା ଭାବେ ପରିଚିତ ଥିବା ବେଳେ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ମଧ୍ୟ ଗ୍ରହଣ କରାଯାଇଛି।

ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ୟ୍ୟନ୍ତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ଉପକୃତ ହେଉଛନ୍ତି। ତେବେ ଏହି ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଏହି ନିଷ୍ପତି ଅନୁସାରେ ବର୍ତ୍ତମାନ ସମସ୍ତ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ। ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । କିନ୍ତୁ ଏହାକୁ ସରକାର ବୃଦ୍ଧି କରି ଦୁଇଗୁଣ କରିଛନ୍ତି। ଗତ ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀଙ୍କୁ ମିଳିବ।

ଅନ୍ୟପଟେ, ସରପଞ୍ଚଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ଛୁଟି। ବର୍ଷକୁ ଅଧିକ ୧୦ଦିନ ସାମୟିକ ଛୁଟି ପ୍ରଦାନ କରାଯିବ। ପୂର୍ବରୁ ୧୫ ଦିନ ସାମୟିକ ଛୁଟି ପ୍ରଦାନ କରାଯାଉଥିଲା। ଏବେ ଏହା ବୃଦ୍ଧି କରି ୨୫ ଦିନ କରାଯାଇଛି।

ରାଜ୍ୟର ଆଶା କର୍ମୀଙ୍କ ବେତନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଶା କର୍ମୀଙ୍କ ମାସିକ ବେତନ ୪୫୦୦ ରୁ ୭୦୦୦ ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି ହୋଇଥିଲା। ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଉର୍ଦ୍ଧ୍ୱ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ନିଯୁକ୍ତ କରିଛନ୍ତି।

ପୂର୍ବରୁ ସେମାନଙ୍କୁ ମାସିକ ୭,୪୦୦ ଟଙ୍କା ପାରିଶ୍ରମିକ ବାବଦରେ ଦିଆଯାଉଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ସେମାନେ ମାସିକ ୧୫,୦୦୦ ଟଙ୍କା ପାରିଶ୍ରମିକ ପାଇବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ।

Leave A Reply

Your email address will not be published.