Odisha Link
Bridging the Missing Links in Odisha

ନେତାଙ୍କ ଦଳଡିଆଁ ପର୍ବ: ବିଜେପିରେ ସାମିଲ ହେଲେ ସୀତା ସୋରେନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜିସାରିଲାଣି ନିର୍ବାଚନ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ଏପରିକି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ବିଧାୟକ ତଥା ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ଜେଏମଏମର ବିଧାୟକ ଥିଲେ। ସେ ତାଙ୍କର ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ ପରିବାର ଓ ପାର୍ଟି ଉପରେ ଅଣଦେଖା ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରରେ ଶିବୁ ସୋରେନଙ୍କ ଉର୍ଦ୍ଦେଶ୍ୟରେ ଲେଖିଛନ୍ତି କି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ଏବଂ ଦଳର ବିଧାୟକ ପଦରୁ ଦୁଃଖର ସହ ଇସ୍ତଫା ଦେଉଛନ୍ତି। ସେ ଅଭିଯୋଗ କରିଛନ୍ତି ପାର୍ଟି ଓ ପରିବାର ଦ୍ୱାରା ତାଙ୍କୁ ହଇରାଣ କରାଯାଉଛି। ମୁଁ ଓ ମୋ ପରିବାର ବିରୋଧରେ ଷଡଯନ୍ତ୍ର କରାଯାଉଛି। ଏହି କାରଣରୁ ସେ ପଦ ଓ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଲେଖିଛନ୍ତି। ସେ ଜେଏମଏମରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେପିରେ ସାମିଲ ହୋଇଛନ୍ତି। ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.