Odisha Link
Bridging the Missing Links in Odisha

ବିଜେଡି ଛାଡ଼ିବା ପରେ ଏପରି କହିଲେ ଭର୍ତ୍ତୃହରି

ଓଏଲ୍‌ ବ୍ୟୁରୋ: ଗତକାଲି ଜଣେ ପୁଲିସ୍ ଏସ୍‌ଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୧୩ ବର୍ଷ ପରେ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ୍‌ ହୋଇଥିଲା। ଏହାର ଦିନକ ପରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି।

ସେ କହିଛନ୍ତି, ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ। ବହୁତ ସହିଛି। ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି। ନିଷ୍ପତ୍ତି କଠୋର ହୋଇପାରେ। କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି।

ଇସ୍ତଫାପତ୍ରରେ ଭର୍ତ୍ତୃହରି ଲେଖିଛନ୍ତି- ପ୍ରିୟ ନବୀନ ବାବୁ, ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି। ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।

ସୂଚନାଥାଉକି, କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି।

Leave A Reply

Your email address will not be published.