Odisha Link
Bridging the Missing Links in Odisha

ଏଥର କେନ୍ଦ୍ରାପଡ଼ାରେ କଡ଼ା ଟକ୍କର; ବାଜିବ ଶଙ୍ଖ ନା ଫୁଟିବ ପଦ୍ମ!

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେଡି ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେଉଥିବାବେଳେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି। ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ମଧ୍ୟ ଘୋଷଣା କରିଛି।

ବିଜେଡି ଗଡ଼ କୁହାଯାଉଥିବା କେନ୍ଦ୍ରାପଡାରେ ବଡ ଲଢେଇ ପାଇଁ ପ୍ରସ୍ତୁତ ହେଉଛି। ବିଜେପି ଟିକେଟ ପାଇବା ପରେ କେନ୍ଦ୍ରାପଡାରେ ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବୈଜୟନ୍ତ ପଣ୍ଡା। ଆଉ କହିଛନ୍ତି, ମୋଦିଙ୍କ ବିକଶିତ ଭାରତ ଗଠନର ଆମର ଲକ୍ଷ୍ୟ। ଏଠାରେ ବୈଜୟନ୍ତଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଅଂଶୁମାନ ମହାନ୍ତି। ସେ ବି କର୍ମୀ ସମ୍ମିଳନୀ କରି ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ବିଜୁ ବାବୁଙ୍କ ଆସନ ହୋଇଥିବାରୁ ଏହାକୁ ଦଖଲ କରିବା ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି।

ପୂର୍ବରୁ ଏହି ଆସନରୁ ଦୁଇ ଦୁଇଥର ବୈଜୟନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ପରାଜିତ ହୋଇଥିଲେ। ହେଲେ, ସମୟ କ୍ରମେ ଏବେ ବିଜେପିରେ ସାମିଲ ହୋଇଛନ୍ତି ଅନୁଭବ ମହାନ୍ତି। ଆଉ ତାଙ୍କ ବଦଳରେ ବୈଜୟନ୍ତଙ୍କ ପ୍ରତିଦ୍ୱନ୍ଦ୍ୱୀ ବନିଛନ୍ତି ଅଂଶୁମାନ ମହାନ୍ତି। ଅନ୍ୟପଟେ ପାଟକୁରାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ବିଜେଡିରେ ସାମିଲ ହେବା ପରେ ରାଜନୈତିକ ସମୀକରଣ ବଦଳିଛି। ତେଣୁ ଏଥର କଡା ଟକ୍କର ହେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି। ତେବେ ଏଥର କେନ୍ଦ୍ରାପଡ଼ା ବାସିନ୍ଦା କାହା ଉପରେ ଭରସା କରି ମୋହର ମାରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.