Odisha Link
Bridging the Missing Links in Odisha

ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ; ତାତି ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଓଏଲ୍‌ ବ୍ୟୁରୋ: ଉପରମୁହାଁ ପାରଦ। କଲବଲ କରୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ତାପମାତ୍ରାକୁ ନଜରରେ ରଖି ରାଜ୍ୟ ସରକାର ରାଜ୍ୟରେ ସକାଳ ୭ଟାରୁ ଛାତ୍ରଛାତ୍ରୀ ସ୍କୁଲ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ବଲପୁରରେ ଅତ୍ୟଧିକ ଗରମ ଅନୂଭତ ହେଉଥିବାରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ୭ଟା ପରିବର୍ତ୍ତେ ୬.୩୦ରୁ ୧୦.୩୦ କରାଯାଇଛି।

ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସମ୍ବଲପୁର ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନିଲ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍କୁଲ ସମୟ ବଦଳିବା ସହ କର୍ମ କ୍ଷେତ୍ରରେ ଶ୍ରମିକଙ୍କ କାମ କରିବା ସମୟ ମଧ୍ୟ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କର୍ମ କ୍ଷେତ୍ରରେ ଶ୍ରମିକମାନେ ମଧ୍ୟ ୧୧ଟାରୁ ଅପରାହ୍ନ ୩ଟା ୩୦ ଯାଏଁ କାମ କରିବା ଉପରେ କଟକଣା ଲଗାଯାଇଛି। ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ଓ୍ବାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମିକ୍ଷା କରିଛନ୍ତି। ଜଳଛତ୍ର ଖୋଲିବା ସହ ଜଳକଷ୍ଟ ଭୋଗୁଥିବା ଅଂଚଳରେ ଓ୍ବାଟର ଟେଙ୍କ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ଜିଲ୍ଲାର ସମସ୍ତ ବିଡିଓ, ତହସିଲାଦର, ସିଡିଏମଓ, ଡିଇଓ ଓ ସମସ୍ତ ବିଇଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Leave A Reply

Your email address will not be published.