Odisha Link
Bridging the Missing Links in Odisha

କଳାହାଣ୍ଡି ରାଜନୀତିରେ ପରିବାରବାଦ: ପ୍ରଚାର ମଇଦାନରେ ୩ ନୂଆ ଚେହେରା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାହାଣ୍ଡି ଲୋକସଭା ଆସନରୁ ବିଜୁ ଜନତା ଦଳ ଲମ୍ବୋଧର ନିଆଲଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଓ କଂଗ୍ରେସ ମହିଳା କାର୍ଡ ଖେଳିଛନ୍ତି। ବିଜେପି ମାଳବିକା କେଶରୀ ଦେଓଙ୍କ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି। ଟିକେଟ୍‌ ପାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୩ ନୂଆ ଚେହେରା।

ବିଜୁ ଜନତା ଦଳ ଲମ୍ବୋଧର ନିଆଲଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି। ଏହା ସହ କଂଗ୍ରେସ ମଧ୍ୟ ମହିଳା ଟିକେଟ ଖେଳି ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ବିଜେପି ମାଳବିକା କେଶରୀ ଦେଓଙ୍କ ପ୍ରାର୍ଥୀ କରିବା, କାରଣ ମାଳବିକା କେଶରୀ ଦେଓ ସ୍ବର୍ଗତ ବିକ୍ରମ କେଶରୀ ଦେଓଙ୍କ ପୁତ୍ରବଧୂ ଓ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅର୍କ କେଶରୀ ଦେଓଙ୍କ ଧର୍ମ ପତ୍ନୀ ଅଟନ୍ତି।

ଅର୍କ କେଶରୀ ଦେଓ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିକ୍ରମ କେଶରୀ ଦେଓ ୧୯୮୫ରୁ ୧୯୯୮ ଯାଏଁ ଜୁନାଗଡ଼ ବିଧାନସଭା ଆସନରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମେ ସେ ଜନତା ପାର୍ଟି ତରଫରୁ ଏବଂ ପରେ ଦୁଇଥର ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅନ୍ୟପଟେ, ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ, ଭାଇ ଟିକେଟ ପାଇ ରାଜନୀତି କରିଚାଲିଛନ୍ତି। କଳାହାଣ୍ଡିରେ ୧୯୫୨ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଣତନ୍ତ୍ର ପରିଷଦରୁ ଗିରିଧାରୀ ଭୋଇ ୧୯୫୨ରୁ ୧୯୬୨ ଯାଏ କଳାହାଣ୍ଡି ଏମ୍‌ପି ରହିଥିଲେ। ୧୯୬୨ରେ ରାଜ ପରିବାର ପ୍ରତାପ କେଶରୀ ଦେଓ ସ୍ବତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ସେ ୧୯୬୨ରୁ ୧୯୮୦ ପର୍ପ୍ୟନ୍ତ ରହିଥିଲେ।

କେବଳ ଲୋକସଭା କ୍ଷେତ୍ରରେ ନୁହେଁ ବିଧାନସଭା କ୍ଷେତ୍ରରେ ମଧ୍ୟ ଏହି ପରିବାରର ଦୀର୍ଘ ଦିନର ରାଜୁତି ରହିଛି। ଜୁନାଗଡ଼ ବିଧାନସଭା ଆସନରେ ୧୯୫୧-୧୯୬୧ ଯାଏ ଗଣତନ୍ତ୍ର ପରିଷଦରୁ ପ୍ରତାପ କେଶରୀ ଦେଓ ବିଧାୟକ ହୋଇଥିଲେ। ସେହିପରି ୧୯୭୪ରେ ତାଙ୍କ ବଡ଼ ପୁଅ ଉଦିତ ପ୍ରତାପ ଦେଓ ସ୍ବତନ୍ତ୍ର ପାର୍ଟିରୁ ଏହି ଆସନରେ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୮୫-୨୦୦୦ ପର୍ଯ୍ୟନ୍ତ ୩ଟି ନିର୍ବାଚନ ପ୍ରତାପ କେଶରୀ ଦେଓଙ୍କ ସାନପୁଅ ବିକ୍ରମ କେଶରୀ ଦେଓ ବିଧାୟକ ହୋଇଥିଲେ। ରାଜ ପରିବାରର ଅନ୍ୟଜଣେ ସଦସ୍ୟ ପଟ୍ଟାୟତ ବୀର କିଶୋର ଦେଓ ମଧ୍ୟ ବିଧାୟକ ହୋଇଛନ୍ତି।

କେବଳ କଳାହାଣ୍ଡି ରାଜପରିବାର ନୁହେଁ ଜୟପାଟଣା ସିଂ ଦେଓ (ଜମିଦାର) ପରିବାର ମଧ୍ୟ ପିଢ଼ି ପରେ ପିଢ଼ି ରାଜନୈତିକ କ୍ଷେତ୍ରରେ ଜାହିର କରିଛନ୍ତି। ୧୯୭୨-୧୯୭୭ରେ ତତ୍କାଳୀନ କୋକସରା ବିଧାନସଭା କ୍ଷେତ୍ରରେ ଏହି ପରିବାରର ଚନ୍ଦ୍ରଭାନୁ ସିଂଦେଓ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୯୫-୨୦୦୫ ଯାଏ ତାଙ୍କ ପତ୍ନୀ ରୋଶନୀ ସିଂଦେଓ ଏବଂ ୨୦୦୫-୨୦୧୯ ଯାଏଁ ତାଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂହଦେଓ ବିଧାୟକ ହୋଇଥିଲେ। କଳାହାଣ୍ଡି ରାଜନୀତି ସହ ଓତପ୍ରୋତ ଜଡ଼ିତ ଥିବା ଓ କଳାହାଣ୍ଡି ରାଜନୀତିକୁ ପାଖରୁ ଦେଖିଥିବା ଅନେକ ଅଭିଜ୍ଞ ନେତା ଲୋକସଭା, ବିଧାନସଭା କ୍ଷେତ୍ରରେ ବାରମ୍ବାର ନିର୍ବାଚିତ ହୋଇଛନ୍ତି।

ନିର୍ବାଚନରେ ମଧ୍ୟ କଳାହାଣ୍ଡିରେ ଏହି ପରିବାରବାଦ ଦେଖିବାକୁ ମିଳିଛି। ପୂର୍ବତନ ଏମ୍‌ପି ଅର୍କକେଶରୀ ଦେଓଙ୍କ ସ୍ତ୍ରୀ ରାଜ ପରିବାରର ବୋହୂ ମାଲବିକା କେଶରୀ ଦେଓଙ୍କୁ ଭାଜପା କଳାହାଣ୍ଡି ଲୋକସଭା ଆସନ ପାଇଁ ଟିକେଟ ଦେଇଛି। କଂଗ୍ରେସ ନର୍ଲାରେ ବିଧାୟକ ପ୍ରାର୍ଥି ଭାବେ ଭକ୍ତଚରଣ ଦାସ ଓ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ତାଙ୍କ ପୁଅ ସାଗରଙ୍କୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲଳିତା ନାଏକ ଭବାନୀପାଟଣା ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥିନୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ପରିବାରବାଦ ରାଜନୀତି ଯୋଗୁ ବର୍ଷବର୍ଷ ଧରି ଦଳୀୟ ସଙ୍ଗଠନ କରୁଥିବା ଅନ୍ୟ ନେତାଙ୍କୁ ଏମପି ଓ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳୁନାହିଁ। ତେବେ ଏସବୁ ମଧ୍ୟରେ ପ୍ରଚାର ମଇଦାନରେ ୩ ନୂଆ ଚେହେରା ମଧ୍ୟରେ ଜନତା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.