Odisha Link
Bridging the Missing Links in Odisha

ଯାଜପୁର ବସ୍‌ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା । ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସଡିଏମଓ ସୂଚନା ଦେଇଛନ୍ତି। ଏସବୁ ମଧ୍ୟରେ ଆଜି ଭୋରୁ ଭୋରୁ ଆହତଙ୍କୁ ଭେଟିଛନ୍ତି ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ।

ଅନ୍ୟପଟେ ଯାଜପୁର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭୋର ସମୟରେ ଏସସିବି ବଡ଼ ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। କାଜୁଆଲଟିରେ ବର୍ତ୍ତମାନ ୪୦ ଆହତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସମ୍ବେଦନଶୀଳ ଥିବାରୁ ସେମାନଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି। ସମସ୍ତଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହିତ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇଥିଲେ ୫-ଟି ଅଧ୍ୟକ୍ଷ। ସମସ୍ତ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, କଟକ ଡିସିପି ପ୍ରକାଶ ଆର, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଓ ଯାଜପୁର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.