Odisha Link
Bridging the Missing Links in Odisha

ନିର୍ବାଚନ ୨୦୨୪: ବଦଳିଲେ ରଣପୁର ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପ୍ରଥମ ପର୍ଯ୍ୟାୟରେ ୧୧୨ ଘୋଷଣା କରିଥିବାବେଳେ ବର୍ତ୍ତମାନ ଆଉ ୨୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି।

ନୟାଗଡ଼ ଜିଲ୍ଲାର ସମସ୍ତ ଚାରିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓହରିଯିବାର ସମ୍ଭାବନା ନେଇ ସୂଚନା ମିଳିଥିବାବେଳେ ଆଜି ଗୋଟିଏ ଆସନରୁ ପ୍ରାର୍ଥୀ ବଦଳ କରିଛି ବିଜେପି। ରଣପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଦାବିଦାର ଥିବାବେଳେ ଆଜି ତାଙ୍କୁ ଟିକେଟ୍‌ ଦେଇଛି ବିଜେପି। ପୂର୍ବରୁ ଦଳର ଜିଲ୍ଲା ସଭାପତି ଥିବା ତାପସ ରଂଜନ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି।

ନୟାଗଡ଼ ଜିଲ୍ଲାର ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଦୁଷ୍ମନ୍ତ ସ୍ବାଇଁ ଖଣ୍ଡପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଦଶପଲ୍ଲାରୁ ଦଳର ପୁରୁଣା କର୍ମୀ ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

ନୟାଗଡ଼ରେ ପ୍ରାର୍ଥୀ ବଦଳାଇବ ବିଜେପି !

ନୟାଗଡ଼ ଓ ଖଣ୍ଡପଡ଼ାରେ ପ୍ରତ୍ୟୁଷା ଓ ଦୁଷ୍ମନ୍ତ ଦୀର୍ଘଦିନ ଧରି ନିଜର ରାଜନୈତିକ କାର୍ଯ୍ୟକଳାପ ଓ ସଂଗଠନ ଦୃଢ଼ୀକରଣରେ ଲାଗିଛନ୍ତି। ଟିକେଟ୍‌ ଘୋଷଣା ପରେ ଉଭୟେ ଅଧିକ ଉତ୍ସାହିତ ଅଛନ୍ତି ଓ କର୍ମୀ ସମ୍ମିଳନୀ ସାଙ୍ଗକୁ କେତେକ ସ୍ଥାନରେ ପ୍ରଚାର ମଧ୍ୟ ଆରମ୍ଭ କରିଦେଲେଣି। ୨୦୧୯ରେ ନୟାଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ଇରାନୀ ରାୟ ଇତି ମଧ୍ୟରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।

ପୂର୍ବରୁ ରଣପୁର ଆସନରୁ ଏକାଧିକ ବାର ପ୍ରାର୍ଥୀ ହୋଇଥିବା ଓ ଗୋଟିଏ ଥର ଜିତିଥିବା ସୁରମା ପାଢ଼ୀଙ୍କ ଗୋଷ୍ଠୀ ଏକପ୍ରକାର ବିଦ୍ରୋହ ଘୋଷଣା କରିବା ପରେ ଦଳ ତାଙ୍କୁ ଟିକେଟ ଦେଇଛି। ଦଶପଲ୍ଲାରେ ରାଘବଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା। ରାଘବଙ୍କୁ ପ୍ରାର୍ଥୀ କରାଯିବା ପରେ ଦଶପଲ୍ଲା ବିଜେପିରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା।

ବିଜେପି ଜାରି କରିଥିବା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ, ପାଟଣାରୁ ଅଖିଳ ଚନ୍ଦ୍ର ନାଏକ, ସରସକାଣ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବାରଦା, ବାଙ୍ଗିରିପୋସିରୁ ସଞ୍ଜଳି ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବରୁ, ଝରିଗ୍ରାମରୁ ନରସିଂହ ଭାତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟ ସାରଥୀ ମହାନ୍ତି, ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢ଼ୀ, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲିକ, ବିଷମକଟକରୁ ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ାରୁ ବସନ୍ତ ଉଲାକା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, କୋଟପାଡରୁ ରୁପୁ ଭତ୍ରା, ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳ ଟିକେଟ ଦେଇଛି।

Leave A Reply

Your email address will not be published.