Odisha Link
Bridging the Missing Links in Odisha

ନୟାଗଡ଼ରେ ପ୍ରାର୍ଥୀ ବଦଳାଇବ ବିଜେପି !

୨୦୧୯ରେ ନୟାଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ଇରାନୀ ରାୟ ଇତି ମଧ୍ୟରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଖଣ୍ଡପଡ଼ାରେ ପ୍ରମୁଖ ଆଶୟୀ ତଥା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଦଳ ଟିକେଟ୍‌ ପରିବର୍ତ୍ତନ କରିବା ପାଇଁ ଏବେ ବି ବ୍ୟାୟାମ ଜାରି ରଖିଛନ୍ତି।

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସମସ୍ତ ଚାରିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓହରିଯିବାର ସମ୍ଭାବନା ନେଇ ସୂଚନା ମିଳିଛି। ଏ ଦୁଇଜଣଙ୍କ ବଦଳରେ ଦଳ ଅନ୍ୟ ଦୁଇଜଣଙ୍କୁ ପ୍ରାର୍ଥୀ କରିବା ନେଇ ବିଚାରବିମର୍ଶ ଚାଲିଛି।

ନୟାଗଡ଼ ଜିଲ୍ଲାର ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଦୁଷ୍ମନ୍ତ ସ୍ବାଇଁ ଖଣ୍ଡପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଦାବିଦାର ଥିବାବେଳେ ତାଙ୍କୁ ଟିକେଟ୍‌ ନଦେଇ ବିଜେପି ଏଥର ଦଳର ଜିଲ୍ଲା ସଭାପତି ତାପସ ରଂଜନ ମାର୍ଥାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଦଶପଲ୍ଲାରୁ ଦଳର ପୁରୁଣା କର୍ମୀ ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

ନୟାଗଡ଼ ଓ ଖଣ୍ଡପଡ଼ାରେ ପ୍ରତ୍ୟୁଷା ଓ ଦୁଷ୍ମନ୍ତ ଦୀର୍ଘଦିନ ଧରି ନିଜର ରାଜନୈତିକ କାର୍ଯ୍ୟକଳାପ ଓ ସଂଗଠନ ଦୃଢ଼ୀକରଣରେ ଲାଗିଛନ୍ତି। ଟିକେଟ୍‌ ଘୋଷଣା ପରେ ଉଭୟେ ଅଧିକ ଉତ୍ସାହିତ ଅଛନ୍ତି ଓ କର୍ମୀ ସମ୍ମିଳନୀ ସାଙ୍ଗକୁ କେତେକ ସ୍ଥାନରେ ପ୍ରଚାର ମଧ୍ୟ ଆରମ୍ଭ କରିଦେଲେଣି। ୨୦୧୯ରେ ନୟାଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ଇରାନୀ ରାୟ ଇତି ମଧ୍ୟରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଖଣ୍ଡପଡ଼ାରେ ପ୍ରମୁଖ ଆଶୟୀ ତଥା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଦଳ ଟିକେଟ୍‌ ପରିବର୍ତ୍ତନ କରିବା ପାଇଁ ଏବେ ବି ବ୍ୟାୟାମ ଜାରି ରଖିଛନ୍ତି।

ଅନ୍ୟପଟେ ରଣପୁର ଓ ଦଶପଲ୍ଲାରେ ବିଜେପି ଶିବିର ସୁପ୍ତ ଅବସ୍ଥାରେ ରହିଛି। ଦଳୀୟ ପ୍ରାର୍ଥୀ ପ୍ରଚାର କ୍ଷେତ୍ରକୁ ଏଯାଏଁ ଲମ୍ଫ ଦେଇନାହାନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ନେଇ ସ୍ଥାନୀୟ ନେତା ଓ କର୍ମୀ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ପୂର୍ବରୁ ରଣପୁର ଆସନରୁ ଏକାଧିକ ବାର ପ୍ରାର୍ଥୀ ହୋଇଥିବା ଓ ଗୋଟିଏ ଥର ଜିତିଥିବା ସୁରମା ପାଢ଼ୀଙ୍କ ଗୋଷ୍ଠୀ ଏକପ୍ରକାର ବିଦ୍ରୋହ ଘୋଷଣା କରିଛନ୍ତି। ଦଶପଲ୍ଲାରେ ରାଘବଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଓଡ଼ିଶା ବାହାରେ ସରକାରୀ ଚାକିରି ଛାଡ଼ି ପ୍ରଥମେ ବିଜେଡିରେ ଯୋଗ ଦେଇଥିବା ରବୀନ୍ଦ୍ର ସେଠୀ ସେଠାରୁ ନିରାଶ ହେବା ପରେ ବିଜେପିକୁ ଡେଇଁଥିଲେ ଓ ଟିକେଟ୍‌ ପାଇବେ ବୋଲି ଆଶାବାଦୀ ଥିଲେ। ରାଘବଙ୍କୁ ପ୍ରାର୍ଥୀ କରାଯିବା ପରେ ଦଶପଲ୍ଲା ବିଜେପିରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡ଼ା ଓ ନୟାଗଡ଼ରେ ବିଜେପିର ପ୍ରାର୍ଥୀ ଅପରିବର୍ତ୍ତିତ ରହିବେ। ଅନ୍ୟପଟେ ରଣପୁରରେ ତାପସଙ୍କୁ ଫେରାଇ ଆଣି ତାଙ୍କ ସ୍ଥାନରେ ସୁରମାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ବିଚାର କରୁଛି। ଅନୁରୂପ ଭାବେ ଦଶପଲ୍ଲାରେ ରାଘବଙ୍କ ବଦଳରେ ରବୀନ୍ଦ୍ର ପ୍ରାର୍ଥୀ ହେବା ନେଇ ଆଭାସ ମିଳୁଛି।

Leave A Reply

Your email address will not be published.