Odisha Link
Bridging the Missing Links in Odisha

କିଏ ହାତେଇବ ସମ୍ବଲପୁର ଆସନ? ହିଙ୍ଗୁଳା ମନ୍ଦିରରେ ବିଜେପି ଓ ବିଜେଡିର ସାଂସଦ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ପଶ୍ଚିମ ଓଡ଼ିଶା ରାଜନୀତିକୁ ନେଇ ଦମଦାର ପ୍ରଚାର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ତାଳଚେରରେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ସକାଳୁ ହିଙ୍ଗୁଳା ମନ୍ଦିର ଆସି ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ମା ହିଙ୍ଗୁଳାଙ୍କ ଉଭା ସ୍ଥଳକୁ ଯାଇ ଆଶିଷ ଭିକ୍ଷା କରିଛନ୍ତି ପ୍ରଣବ ପ୍ରକାଶ। ପ୍ରଣବଙ୍କ ସହ ତାଳଚେର ବିଧାୟକ ଏବଂ ୟୁପିଏସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ରଖିଥିବା ଅନିମେଶ ପ୍ରଧାନ ଉପସ୍ଥିତ ଥିଲେ।

ଅନ୍ୟପଟେ, ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଦମଦାର ପ୍ରଚାର ଜାରି ରଖିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହୋଇ ମା’ଙ୍କ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ମା’ ହିଙ୍ଗୁଳାଙ୍କ ଦର୍ଶନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଅଗ୍ନିରୂପା ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ। ମା’ଙ୍କ ଦର୍ଶନ ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ। ଆବାହମାନକାଳରୁ ଜାରି ରହିଥିବା ଏହି ପରମ୍ପରା ଭକ୍ତଙ୍କ ଭରସା ଓ ବିଶ୍ୱାସର ପ୍ରତୀକ। ମା’ ଆଶୀର୍ବାଦରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ପୂରଣ ହେଉ। ଓଡ଼ିଆ ଅସ୍ମିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ କେନ୍ଦ୍ରମନ୍ତ୍ରୀ। ତେବେ ସମ୍ବଲପୁର ବାସୀ କାହାକୁ ଚୟନ କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.