Odisha Link
Bridging the Missing Links in Odisha

ଏଥର କାହାର ହେବ କଳାହାଣ୍ଡି ଲୋକସଭା ଆସନ? ମେ’ ୧୩ ପଡ଼ିବ ଭୋଟ୍…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚାଲିଛି ନିର୍ବାଚନ ପ୍ରଚାର। ବିଭିନ୍ନ ଦଳ କରୁଛନ୍ତି ବଡ଼ ବଡ଼ ରାଲି। କଳାହାଣ୍ଡି ଲୋକସଭା ଆସନରେ ନାମାଙ୍କନ ଦାଖଲ ପରେ ସରଗରମ ହୋଇଛି ରାଜନୀତି ମୈଦାନ। ୩ ପ୍ରମୁଖ ରାଜନୈତିକ ଦଳମାନଙ୍କର ପ୍ରାର୍ଥୀ ଏବେ ଅଙ୍କ କଷିବାରେ ବ୍ୟସ୍ତ। ଘର ଘର ବୁଲି ପ୍ରାର୍ଥୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ବିଜେଡି ଲମ୍ୱୋଦର୍ ନିଆଲଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦ୍ରୌପଦୀ ମାଝୀ ଓ ବିଜେପି ମାଳବିକା ଦେବୀଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପରେ ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ହେବା ସହ ଦୁଇ ଦୁଇ ଥର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଜଣେ ଦକ୍ଷ ଓ ସୁସଂଗଠକ ଭାବରେ ରାଜନୀତି କରି ଆସୁଛନ୍ତି ଲମ୍ବୋଦର।

ସେହିପରି କଂଗ୍ରେସ ଓ ବିଜେପି ମହିଳା କାର୍ଡ ଖେଳିଛି। କଂଗ୍ରେସ ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୨ ମସିହାରେ ସମିତି ସଭ୍ୟା ଓ ପରେ ସରପଞ୍ଚ ହେବା ସହ ୨୦୧୨ ମସିହାରେ ଠୁଆମୂଲ୍ ରାମପୁର ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳରେ ରହି ବିଭିନ୍ନ ପଦ ପଦବୀର ଜଣେ ସକ୍ରିୟ ନାରୀ ନେତ୍ରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି।

ସେହିପରି ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ରାଜନୀତି ମୈଦାନ ନୂଆ ଚେହେରା ଅଟନ୍ତି। ମାଳବିକା କଳାହାଣ୍ଡି ରାଜପରିବାର ବୋହୂ। ତାଙ୍କ ଶ୍ୱଶୁର ବିକ୍ରମ କେଶରୀ ଦେଓ ଏବଂ ସ୍ଵାମୀ ଅର୍କ କେଶରୀ ଦେଓଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟ କଳାହାଣ୍ଡି ରାଜନୀତିରେ ସକ୍ରିୟ ଥିଲେ। ମାଳବିକା କଳାହାଣ୍ଡି ରାଜପରିବାରର ବୋହୂ ହେବା ପରେ ରାଜନୀତିକୁ ଅତି ନିକଟରୁ ଦେଖି ଆସୁଛନ୍ତି। ନିଜ ଶ୍ୱଶୁର ଓ ସ୍ଵାମୀଙ୍କ ରାଜନୀତି ଷ୍ଟାଇଲକୁ ନିକଟରୁ ଦେଖିଥିବା ମାଳବିକା ଏବେ ରାଜନୀତି ମୈଦାନରେ ବିଜେପି ସାଂସଦ ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି।

ତେବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ବିଜେପି ମାଳବିକା କେଶରୀ ଦେଓଙ୍କ ପ୍ରାର୍ଥୀ କରିବା, କାରଣ ମାଳବିକା କେଶରୀ ଦେଓ ସ୍ବର୍ଗତ ବିକ୍ରମ କେଶରୀ ଦେଓଙ୍କ ପୁତ୍ରବଧୂ ଓ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅର୍କ କେଶରୀ ଦେଓଙ୍କ ଧର୍ମ ପତ୍ନୀ ଅଟନ୍ତି। ଅର୍କ କେଶରୀ ଦେଓ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତାଙ୍କ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିକ୍ରମ କେଶରୀ ଦେଓ ୧୯୮୫ରୁ ୧୯୯୮ ଯାଏଁ ଜୁନାଗଡ଼ ବିଧାନସଭା ଆସନରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମେ ସେ ଜନତା ପାର୍ଟି ତରଫରୁ ଏବଂ ପରେ ଦୁଇଥର ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅନ୍ୟପଟେ, ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ, ଭାଇ ଟିକେଟ ପାଇ ରାଜନୀତି କରିଚାଲିଛନ୍ତି। କଳାହାଣ୍ଡିରେ ୧୯୫୨ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଣତନ୍ତ୍ର ପରିଷଦରୁ ଗିରିଧାରୀ ଭୋଇ ୧୯୫୨ରୁ ୧୯୬୨ ଯାଏ କଳାହାଣ୍ଡି ଏମ୍‌ପି ରହିଥିଲେ।

୧୯୬୨ରେ ରାଜ ପରିବାର ପ୍ରତାପ କେଶରୀ ଦେଓ ସ୍ବତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ସେ ୧୯୬୨ରୁ ୧୯୮୦ ପର୍ପ୍ୟନ୍ତ ରହିଥିଲେ। ପରିବାରବାଦ ରାଜନୀତି ଯୋଗୁ ବର୍ଷବର୍ଷ ଧରି ଦଳୀୟ ସଙ୍ଗଠନ କରୁଥିବା ଅନ୍ୟ ନେତାଙ୍କୁ ଏମପି ଓ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳୁନାହିଁ। ତେବେ ଏସବୁ ମଧ୍ୟରେ ପ୍ରଚାର ମଇଦାନରେ ୩ ନୂଆ ଚେହେରା ମଧ୍ୟରେ ଜନତା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.