Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା, ୨ ଯୁବ ଖେଳାଳିଙ୍କୁ ମିଳିଲା ସ୍ଥାନ

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ। ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍। ଆଉ ମହାକୁମ୍ଭର ମହାମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ଘୋଷଣା କରିଛି ଦଳ। ୧୫ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ପାଇଁ ଆଡେନ ମାକ୍ରମଙ୍କ ନେତୃତ୍ବରେ ଦଳ ଟ-୨୦ ବିଶ୍ବକପ୍‌ ଖେଳିବ।

ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ରେ ଦଳର ମଙ୍ଗ ଧରିବେ ମାକ୍ରମ। ସେହିପରି ଦକ୍ଷିଣ ଆଫ୍ରିକା କ୍ରିକେଟର କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିଥିବା ଅନ୍ରିଚ୍‌ ନର୍ଖିଆ ଓ କ୍ବିଣ୍ଟନ୍‌ ଡି କକ୍‌ଙ୍କୁ ଦଳରେ ସ୍ଥାନ ମିଳିଛି। ଆହତ କାରଣରୁ ନର୍ଖିଆ ୨୦୨୩ ସେପ୍ଟେମ୍ବରରୁ ଜାତୀୟ ଦଳ ପାଇଁ ଖେଳି ନାହାନ୍ତି। ସେହିପରି ଦିନିକିଆ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା କ୍ବିଣ୍ଟନ ଡିକକ୍‌ଙ୍କୁ ଦଳରେ ସ୍ଥାନ ମିଳିଛି।

ସେହିପରି ବିଭିନ୍ନ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ରେ ରାୟନ ରିକ୍ଲେଟନ ଓ ଓଟିନେଲ ବ୍ରାର୍ଟମ୍ୟାନ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଛନ୍ତି। ଦୁହେଁ ଅନକ୍ୟାପଡ ଖେଳାଳି। ସେହିପରି ଦଳରେ ୩ ଜଣ ବ୍ୟାଟସମ୍ୟାନ୍‌ ସ୍ଥାନ ପାଇଥିବା ବେଳେ ଜଣେ ମାତ୍ର ଅଲରାଉଣ୍ଡର ଦଳରେ ସ୍ଥାନ ପାଇଛନ୍ତି। ସେହିପରି ୪ ଜଣ ଓ୍ବିକେଟ କିପର ଓ ୯ ଜଣ ବୋଲରଙ୍କୁ ଦଳରେ ସ୍ଥାନ ମିଳିଛି। ଏଥିସହିତ ୨ଜଣ ରିଜର୍ଭ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି।

ବିଶ୍ବକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ:
ଆଡେନ ମାକ୍ରମ (ଅଧିନାୟକ), ରିଜା ହେଣ୍ଡରିକ୍ସ, ଡେଭିଓ ମିଲର, କ୍ବିଣ୍ଟନ ଡିକକ୍‌, ହେନରିକ୍‌ କ୍ଲାସେନ୍, ରାୟନ ରିକ୍ଲେଟନ, ଟ୍ରିଷ୍ଟାନ ଷ୍ଟବ୍ସ, କେଶବ ମହାରାଜ, ଅନ୍ରିଚ୍‌ ନର୍ଖିଆ, କାଗିସୋ ରବଡା, ତାବରିଜ ସାମସି, ଓଟିନେଲ ବ୍ରାର୍ଟମ୍ୟାନ, ଗିରଲାଡ କୋଫଟଜି, ବୋଜରନ ଫର୍ଚୁନ।

ରିଜର୍ଭ ଖେଳାଳି: ନାଣ୍ଡ୍ରେ ବର୍ଗର, ଲୁଙ୍ଗି ନିଗିଡି

ସୂଚନାଥାଉକି, ନିକଟରେ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଦକ୍ଷିଣ ଆଫ୍ରିକା ତା’ର ନୂଆ ଜର୍ସି ଉନ୍ମୋଚନ କରିଥିଲା। ଜର୍ସିର ରଙ୍ଗ ହଳଦିଆ ରହିଥିଲା ବେଳେ ଏହାର କାନ୍ଧରେ ଦେଶର ଜାତୀୟ ପତାକା ରହିଛି। ଦକ୍ଷିଣ ଆଫ୍ରିକାର ଜାତୀୟ ଫୁଲ ‘କିଙ୍ଗ ପ୍ରୋଟିଆ’ ସାର୍ଟରେ ଭଲ ଭାବେ ପ୍ରଦର୍ଶିତ ହୋଇଛି। ‌ଟ୍ବେଣ୍ଟି-୨୦ ବିଶ୍ବକପ୍ ଜୁନ୍‌ ୨ରୁ ୱେ‌ଷ୍ଟ୍‌ଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ। ଗତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ଆଗାମୀ ସଂସ୍କରଣରେ ଦଳ ବାଂଲାଦେଶ, ଶ୍ରୀଲଙ୍କା, ନେଦରଲାଣ୍ଡ୍‌ସ ଓ ନେପାଳ ସହ ଗ୍ରୁପ୍‌-ଡି’ରେ ରହିଛି। ଜୁନ୍‌ ୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳି ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ।

Leave A Reply

Your email address will not be published.