Odisha Link
Bridging the Missing Links in Odisha

ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖୁଛି: ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ଆଜି ଓଡ଼ିଶାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋରଦାର ପ୍ରଚାର କରୁଥିବା ବେଳେ କଳାହାଣ୍ଡିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର। ଏସବୁ ମଧ୍ୟରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି।

ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବ୍ରହ୍ମପୁର ସଭାରେ ପିଏମ୍‌ ମୋଦି କହିଥିଲେ। ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କଳାହାଣ୍ଡି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଏବଂ ଓଡ଼ିଶା ମଧ୍ୟ ଇତିହାସ ରଚିବ। ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ। ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ କହୁୁଛନ୍ତି, ସାର ବିଜେପି କହିଛନ୍ତି ଓଡ଼ିଶାରେ ସେମାନେ ସରକାର ଗଠନ କରିବେ। ତାର ଉତ୍ତରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖୁଛନ୍ତି।

Leave A Reply

Your email address will not be published.