Odisha Link
Bridging the Missing Links in Odisha

ଜୁନ୍‌ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ଆଜି ଓଡ଼ିଶାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋରଦାର ପ୍ରଚାର କରୁଥିବା ବେଳେ କଳାହାଣ୍ଡିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର। ଏସବୁ ମଧ୍ୟରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି।

ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବ୍ରହ୍ମପୁର ସଭାରେ ପିଏମ୍‌ ମୋଦି କହିଥିଲେ। ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କଳାହାଣ୍ଡି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଏବଂ ଓଡ଼ିଶା ମଧ୍ୟ ଇତିହାସ ରଚିବ। ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ। ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ଆଜି ବ୍ରହ୍ମପୁର ସଭାରେ ବିଜେଡି ସରକାରକୁ ଟାର୍ଗେଟ କରି ମୋଦି କହିଥିଲେ, ଜୁନ୍‌ ୪ ତାରିଖରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ଲେଖା ହୋଇଛି। ଆଜି ମେ’ ୬ ତାରିଖ, ଜୁନ୍‌ ୬ ତାରିଖକୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧାର୍ଯ୍ୟ କରାଯିବ। ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ନେବେ। ଆଉ ସେହି ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି କହିଥିଲେ। ଓଡ଼ିଶାରେ ବିଜେଡିର ଅସ୍ତ, କଂଗ୍ରେସ ନିସ୍ତେଜ ଓ ଓଡ଼ିଶାବାସୀ ବିଜେପି ଉପରେ ଆଶ୍ବସ୍ତ ଅଛନ୍ତି। କେବଳ ବିଜେପି ହିଁ ଆଶାର ନୂଆ କିରଣ ଭାବେ ଉଭା ହୋଇଛି।

Leave A Reply

Your email address will not be published.