Odisha Link
Bridging the Missing Links in Odisha

ଥରେ ସୁଯୋଗ ଦିଅ, ୫ ବର୍ଷରେ ଓଡ଼ିଶା ନମ୍ବର-୧ ହେବ: ନରେନ୍ଦ୍ର ମୋଦି

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଆଜି ଓଡ଼ିଶା ମାଟିରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ କଳାହାଣ୍ଡିରେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆଜି ବ୍ରହ୍ମପୁର ମାଟିରୁ ଶାସକ ଦଳ ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କୁ ବୁଷ୍ଟର ଡୋଜ ଦେଇଛନ୍ତି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମୋଦି। ସେ କହିଛନ୍ତି, ଓଡ଼ିଶାର ଘରକୁ ଘର ଯାଇ ମୁଁ ଜୟ ଜଗନ୍ନାଥ କହିଛି ବୋଲି କହିବେ। ଏହା କହିବା ଦ୍ବାରା ମୋତେ ଆଶୀର୍ବାଦ ମିଳିବ। ଏହି ଆଶୀର୍ବାଦ ବଳରେ ମୋର ଉର୍ଜା ବଢ଼ିବ। ଯାହାଫଳରେ ମୁଁ ଓଡ଼ିଶା ଓ ଦେଶର ବିକାଶ ପାଇଁ ଅଧିକ କାମ କରି ପାରିବି।

ବିଜେଡି ସରକାରକୁ ଟାର୍ଗେଟ କରି ମୋଦି କହିଛନ୍ତି, ଜୁନ୍‌ ୪ ତାରିଖରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ଲେଖା ହୋଇଛି। ଆଜି ମେ’ ୬ ତାରିଖ, ଜୁନ୍‌ ୬ ତାରିଖକୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧାର୍ଯ୍ୟ କରାଯିବ। ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ନେବେ। ଆଉ ସେହି ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି କହିଥିଲେ। ଓଡ଼ିଶାରେ ବିଜେଡିର ଅସ୍ତ, କଂଗ୍ରେସ ନିସ୍ତେଜ ଓ ଓଡ଼ିଶାବାସୀ ବିଜେପି ଉପରେ ଆଶ୍ବସ୍ତ ଅଛନ୍ତି। କେବଳ ବିଜେପି ହିଁ ଆଶାର ନୂଆ କିରଣ ଭାବେ ଉଭା ହୋଇଛି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ୨୫ ବର୍ଷ ଧରି ବିଜୁ ଜନତା ଦଳର ସରକାର ଅଛି। ଓଡ଼ିଶା ଧନୀ ହେଲେ ଲୋକ ଗରିବ। ଓଡ଼ିଶା ପାଖରେ ଭରପୁର ଖଣି, ପାଣି ସବୁକିଛି ଅଛି। ଲମ୍ବା ସମ୍ରୁଦ ତଟ ବି ଅଛି। ହେଲେ ଧନୀଶାଳୀ ଓଡ଼ିଶା କାହିଁକି ଗରିବ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ପ୍ରଥମେ କଂଗ୍ରେସ ଓ ତା ପରେ ବିଜେଡି ନେତାଙ୍କ ଲୁଟ୍‌ର କାରଣ ପାଇଁ ଓଡ଼ିଶା ଗରିବୀ ହୋଇଛି। ମୋଦି ଓଡ଼ିଶାର ବିକାଶ ପାଇଁ କେବେ ବଜେଟ୍‌ କମ୍‌ କରିନି। ହେଲେ କାହିଁକି ଓଡ଼ିଶା ପଛୁଆ ବୋଲି କହିଛନ୍ତ ମୋଦି।

ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଧିକ ଲୋକ ଦାଦନ ଖଟୁଛନ୍ତି। ଏଠାରେ ଥିବା ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ପିଲାମାନେ ଅଧାରୁ ପାଠ ଛାଡ଼ୁଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ହିଞ୍ଜିଳିରେ ଶୀତଳ ଭଣ୍ଡାର ନାହିଁ। ସେ ଆହୁରି କହିଛନ୍ତି, ଆପଣଙ୍କୁ କଥା ଦେଉଛି ଥରେ ବିଜେପିକୁ ସୁଯୋଗ ଦେଇ ଦେଖନ୍ତୁ। ୫ ବର୍ଷରେ ଓଡ଼ିଶା ନମ୍ବର ୧ ହେବ। ଦିଲ୍ଲୀରେ ବସିଥିବା ଜଗନ୍ନାଥ ପୁଅ ସବୁକିଛି କରିବ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଏଥର ୨ଟି ଯଜ୍ଞ ଏକାସାଙ୍ଗରେ ହେଉଛି । ଗୋଟିଏ ହେଉଛି ଦେଶ ପାଇଁ ମଝବୁତ୍ ସରକାର ନିର୍ମାଣ ପାଇଁ। ଅନ୍ୟଟି ହେଉଛି ଓଡ଼ିଶାରେ ମଝବୁତ୍ ରାଜ୍ୟ ସରକାର ନିର୍ମାଣ ପାଇଁ। ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଥିଲେ ମୋଦି। ଓଡିଶା ବିଜେପି, ଓଡିଶାର ଆକାଂକ୍ଷାକୁ ଧ୍ୟାନରେ ରଖି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ଯୁବ, ମହିଳାଙ୍କ ପାଇଁ ରୋଜଗାର ଅଛି।ଏଥିରେ ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟ ଅଛି, ଏଥିରେ ଓଡିଶାର ମହାନ ସଂସ୍କୃତି, ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା ହେଇଛି।ବିଜେପି ଯାହା କହିଥାଏ, ତାହା କରିକି ଦେଖାଏ। ତେଣୁ ଏଥିପାଇଁ ଏଠି ସରକାର ହେବା ପରେ ଆମେ ପୂରା ଶକ୍ତିର ସହ ଏହି ସଙ୍କଳ୍ପକୁ ପୂରା କରିବୁ। ଏ ହେଉଛି ମୋଦିର ଗ୍ୟାରେଣ୍ଟିଂ।

Leave A Reply

Your email address will not be published.